ଓଏଏସ୍ ସ୍ତରରେ ପୁଣି ବଡ଼ ଅଦଳବଦଳ , ୬ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ୩ ଜଣଙ୍କ ପୂର୍ବ ବଦଳି ନିର୍ଦ୍ଦେଶ ବାତିଲ
ଓଏଏସ୍ ସ୍ତରରେ ପୁଣି ବଡ଼ ଅଦଳବଦଳ। ୬ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ। ୩ ଜଣଙ୍କ ବଦଳି ନିର୍ଦ୍ଦେଶ ବାତିଲ କଲେ ସରକାର। ଏକାଧିକ ଓଏଏସ୍ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି ନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରିଛନ୍ତି। ୬ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ୩ ଜଣଙ୍କ ପୂର୍ବ ବଦଳି ନିର୍ଦ୍ଦେଶ ବାତିଲ କରାଯାଇଛି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ସଚିବ ଘାସିରାମ ମୁର୍ମୁଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ବେଦବନ୍ଧୁ ମିଶ୍ରଙ୍କୁ ରାଜ୍ୟ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି।
ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଥିବା ଶୁଭଦର୍ଶିନୀ ସ୍ୱାଇଁଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।
ସେହିପରି ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମହାପ୍ରବନ୍ଧକ ବିଶ୍ୱନାଥ ସାହୁଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି। କର୍ଣ୍ଣଦେବ ସମାଦ୍ଦାରଙ୍କୁ କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି।
ଅନ୍ୟପଟେ ଅକ୍ଟୋବର ୩୦ ତାରିଖରେ ଜାରି ହୋଇଥିବା କେତେକ ବଦଳି ନିର୍ଦ୍ଦେଶକୁ ସରକାର ବାତିଲ କରିଛନ୍ତି। ପ୍ରବୀର କୁମାର ନାୟକ ଭୁବନେଶ୍ୱର ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଭାବେ କାର୍ଯ୍ୟ ଜାରି ରଖିବେ। ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ଦିଆଯାଇଥିବା ପୂର୍ବ ନିଯୁକ୍ତି ନିର୍ଦ୍ଦେଶ ବାତିଲ ହୋଇଛି।
ସେହିପରି ପ୍ରିୟବ୍ରତ ପାଢ଼ୀ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା OSSSCର ଅତିରିକ୍ତ ସଚିବ ପଦରେ ରହିବେ। ସାଧାରଣ ପ୍ରଶାସନ ବିଭାଗକୁ ତାଙ୍କର ପୂର୍ବ ବଦଳି ନିର୍ଦ୍ଦେଶ ବାତିଲ କରାଯାଇଛି। ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର କୁମାର ସେଠୀ ମଧ୍ୟ ନିଜ ବର୍ତ୍ତମାନ ପଦବୀରେ ରହିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ତାଙ୍କର ପୂର୍ବ ନିଯୁକ୍ତି ନିର୍ଦ୍ଦେଶକୁ ବାତିଲ କରାଯାଇଛି।