ବୃନ୍ଦାବତୀ ନିବାସରେ ହବିଷ୍ୟାଳୀ ମାଆମାନଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବୃନ୍ଦାବତୀ ନିବାସରେ ହବିଷ୍ୟାଳୀ ମାଆମାନଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବୃନ୍ଦାବତୀ ନିବାସ ଆସି ହବିଷ୍ୟ ବ୍ରତ କରୁଥିବା ହଜାର ହଜାର ହବିଷ୍ୟାଳୀ ମାଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ସମୟରେ ହବିଷ୍ୟାଳୀଙ୍କ ସହ ବସି କଥା ହେବା ସହ ସେମାନଙ୍କ ରହଣି, ଖାଦ୍ୟପେୟ ବ୍ୟବସ୍ଥା କଥା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସିଧା ଯାଇ ଭେଟିଥିଲେ ହବିଷ୍ୟାଳୀ ମାଆମାନଙ୍କୁ। ହବିଷ୍ୟାଳୀ ମାଆମାନେ ଫୁଲ ଚନ୍ଦନ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ। ମାଆମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ହବିଷ୍ୟାଳୀଙ୍କ ସହ ସିଧାସଳଖ କଥା ହୋଇଥିଲେ । କେଉଁ ଜିଲ୍ଲାରୁ ଆସିଛନ୍ତି ? କେମିତି ରହୁଛନ୍ତି ? ଖାଇବାରେ କିଛି ଅସୁବିଧା ହେଉଛି କି ? ସେ ସବୁ ବୁଝିଥିଲେ ମୁଖ୍ୟମନ୍ତ୍ରୀ। ହବିଷ୍ୟାଳୀଙ୍କ ପାଇଁ ଆହୁରି ଉତ୍ତମରୁ ଉତ୍ତମ ବ୍ୟବସ୍ଥା କରିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରଙ୍କ ପକ୍ଷରୁ ବୃନ୍ଦାବତୀ ନିବାସ ସମେତ ବିଭିନ୍ନ କେନ୍ଦ୍ରରେ ସେମାନଙ୍କ ପାଇଁ ରହିବା, ଖାଇବା, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରାଯାଇଛି । ଏଥର ହବିଷ୍ୟାଳୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ୩ କୋଟି ୨୩ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସେମାନଙ୍କ ମନରେ ନୂଆ ଉତ୍ସାହ ଭରି ଦେଇଛି। ହବିଷ୍ୟାଳୀମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ ଆସି ଭେଟିବା ଆମ ପାଇଁ ବଡ଼ ଭାଗ୍ୟ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଆମାନଙ୍କୁ କିଟ୍ ବ୍ୟାଗ ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ବିଧାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କେନ୍ଦ୍ରାଞ୍ଚଳ ଆଇଜି ମଧ୍ୟ ଉପସ୍ଥିତ ଥିଲେ।

Leave a comment