ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ନୂଆ ଭଡ଼ା ଲାଗୁ ହେବା ପରେ ଯାତ୍ରୀଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବା ଆଶଙ୍କା ରହିଛି ।
ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଡିନାରୀ ବସ୍ର କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସା ହୋଇଛି । ପ୍ରଥମ ଥର ପାଇଁ ବସ୍ ଭଡ଼ା ତାଲିକାରେ ସେମି ଡିଲକ୍ସ କାଟାଗୋରୀକୁ ସାମିଲ କରାଯାଇଛି । ଏହି ବର୍ଗର ବସ୍ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଧାର୍ଯ୍ୟ କରାଯାଇଛି ।
ଅନ୍ୟପକ୍ଷରେ, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୪୧ ପଇସା ହୋଇଥିବା ବେଳେ, ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୯୯ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ସୁପର ପ୍ରିମିୟମ୍ ବସ୍ ଭଡ଼ା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି। ସୁପର ପ୍ରିମିୟମ୍ ଡିଲକ୍ସ ବସ୍ ଭଡ଼ା ୩ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୪ ଟଙ୍କା ୬୧ ପଇସା ହୋଇଛି। ସ୍ଲିପର ଏସି କୋଚ୍ ପାଇଁ ମଧ୍ୟ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି।
ସୂଚନା ଅନୁଯାୟୀ, ବସ୍ର ରକ୍ଷଣାବେକ୍ଷଣ, ବୀମା, ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଦୀର୍ଘଦିନ ଧରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଭଡ଼ା ବୃଦ୍ଧି ପାଇଁ ଦାବି ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ବସ୍ ଭଡ଼ା ସଂଶୋଧନ କରିଥିବା ଜଣାପଡ଼ିଛି। ଏହି ବୃଦ୍ଧିର ପ୍ରଭାବ ସରକାରୀ ବସ୍ରେ ମଧ୍ୟ ପଡ଼ିଛି। ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ବସ୍ ଭଡ଼ାରେ ବୃଦ୍ଧି ହୋଇଥିଲା ।
ମୋଟାମୋଟି ଭାବେ ବିଭିନ୍ନ ବର୍ଗରେ ପାଖାପାଖି ୩୦ ପ୍ରତିଶତ ପର୍ଯ୍ୟନ୍ତ ବସ୍ ଭଡ଼ା ବୃଦ୍ଧି ହୋଇଥିବା କୁହାଯାଉଛି। ତେବେ ଏହି ନିଷ୍ପତ୍ତି ଦ୍ୱାରା ଦୈନିକ ବସ୍ରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀ, ଚାକିରିଆ, ଛାତ୍ରଛାତ୍ରୀ ଓ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଲୋକଙ୍କ ଯାତାୟାତ ଖର୍ଚ୍ଚ ବଢ଼ିବା ନିଶ୍ଚିତ। ଏହାକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାର ଆଶଙ୍କା ରହିଛି।