ସୁରଭି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ଏକ ମାଧ୍ୟମ । ପିଲାମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏହା ଏକ ପ୍ରୟାସ । ସୁରଭି ମହୋତ୍ସବର ମଞ୍ଚରୁ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମହୋତ୍ସବକୁ ଉଦଘାଟନ କରିବା ସହ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ୨୦୨୪ ଓ ୨୦୨୫ ବର୍ଷ ପାଇଁ ମୋଟ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ସମ୍ମାନିତ କରାଯିବା ସହ ୧୯ କୋଟି ୫୬ ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏଥିସହ ୧୦ ଜଣଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଓ ୪ ଜଣ ସିଏଚ୍ଏସ୍ଇ (CHSE) ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ଆକଳନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ‘ନିପୁଣ ଆପ୍’ ର ଲୋକାର୍ପଣ କରିବା ସହ ରାଜ୍ୟର ୮୦୭ଟି ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍ର ଶୁଭ ଉଦଘାଟନ କରିଛନ୍ତି । ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ମାତୃଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ।
ମହୋତ୍ସବ ପରିସରରେ ବିଜ୍ଞାନ ପ୍ରଦର୍ଶନୀ, ରୋବୋଟିକ୍ସ ଲ୍ୟାବ୍, ମଡେଲ୍ ୟୁନାଇଟେଡ୍ ନେସନ୍ ପାଭିଲିୟନ୍ ସହ ବିଭିନ୍ନ ସୃଜନଶୀଳ କର୍ମଶାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ଶାସନ ସଚିବ ଡଃ ଏନ୍. ତିରୁମାଲା ନାଏକ ଏବଂ ଓସେପା ର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସଂଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।