ମାତ୍ର ୧୨ ଘଣ୍ଟା ମଧ୍ୟରେ ଦେଶରେ ଦୁଇଟି ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି

ମାତ୍ର ୧୨ ଘଣ୍ଟା ମଧ୍ୟରେ ଦେଶରେ ଦୁଇଟି ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ବୁଧବାର ସକାଳେ ଆସାମର ଗୌହାଟୀ ନିକଟସ୍ଥ ଡିଗାରୁ ରେଳ ଷ୍ଟେସନରେ କୋଲକାତାରୁ ମିଜୋରାମର ସାଇରାଙ୍ଗ ଯାଉଥିବା ଟ୍ରେନର ଇଞ୍ଜିନ ସମେତ ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ସନ୍ଧ୍ୟରେ ଉତ୍ତରପ୍ରଦେଶର କାନପୁରରେ ଚୌରୀଚୌରା ଏକ୍ସପ୍ରେସ୍ ମଧ୍ୟ ଲାଇନଚ୍ୟୁତ ହୋଇଛି ।

କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନରେ ବୁଧବାର ସନ୍ଧ୍ୟାରେ ଚୌରୀଚୌରା ଏକ୍ସପ୍ରେସର ୪ଟି ବଗି ଧାରଣାରୁ ଖସିଯାଇଥିଲା । ଟ୍ରେନଟି ପ୍ଲାଟଫର୍ମ ନମ୍ବର ୭ରୁ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ସମୟରେ ଚାଇନଚ୍ୟୁତ୍ ହୋଇଥିଲା । ତେବେ ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ ଆହତ ହେବାର ଖବର ମିଳିନାହିଁ ।ଚୌରୀଚୌରା ଏକ୍ସପ୍ରେସ୍ ବୁଧବାର ସନ୍ଧ୍ୟାରେ କାନପୁର ଅନୱରଗଞ୍ଜରୁ ଯାତ୍ରା ଆରମ୍ଭ କରିଥିଲା । ସନ୍ଧ୍ୟା ପ୍ରାୟ ୫ଟା ୦୫ ମିନିଟରେ ଏହା କାନପୁର ସେଣ୍ଟ୍ରାଲ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୭ରେ ପହଞ୍ଚିଥିଲା । ସେଠାରେ ପ୍ରାୟ ୧୦ ମିନିଟ୍ ରହିବା ପରେ ଟ୍ରେନଟି ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରୁଥିଲା । ଠିକ୍ ଏହି ସମୟରେ ଟ୍ରେନର ଏସି ଥାର୍ଡ ଶ୍ରେଣୀର ତିନୋଟି ବଗି ବି-୪, ବି-୫ ଏବଂ ବି-୬ ରେଳ ଧାରଣାରୁ ଖସିଯାଇଥିଲା । ବଗିରେ ଥିବା ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ ପ୍ଲାଟଫର୍ମରେ ମଧ୍ୟ ଆତଙ୍କ ଖେଳିଯାଇଥିଲା । ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀ ଓ ଅନ୍ୟ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ରେଳ କର୍ମଚାରୀ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିବା ସହିତ ଖସିପଡ଼ିଥିବା ବଗିଗୁଡ଼ିକ ଟ୍ରାକକୁ ଆଣିବା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିଲା ।

ଆସାମରେ ୫ଟି ବଗି ଲାଇନଚ୍ୟୁତ, ୪ ଆହତ

ବୁଧବାର ସକାଳେ ଗୌହାଟୀ ନିକଟସ୍ଥ ଡିଗାରୁ ଷ୍ଟେସନରେ ସାଇରାଙ୍ଗ-କୋଲକାତା ଏକ୍ସପ୍ରେସର ଇଞ୍ଜିନ ସହ ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ଘଟଣାରେ ୪ ଜଣ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଜଣେ ମୁଖପାତ୍ରଙ୍କ ସୂଚନା ଅନୁସାରେ, ଅନ୍ୟ ଏକ ଟ୍ରେନକୁ ରାସ୍ତା ଦେବା ପାଇଁ ଏକ୍ସପ୍ରେସକୁ ଡିଗାରୁ ଷ୍ଟେସନରେ ଅଟକିବାକୁ କୁହାଯାଇଥିଲା । କିନ୍ତୁ ଲୋକୋ ପାଇଲଟ୍ ଟ୍ରେନର ଗତି ନିୟନ୍ତ୍ରଣ କରିପାରି ନଥିଲେ ।

Leave a comment