ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗୁରୁବାର ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି । ଏହା ସହ ସେ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଖାମେନି ଦୀର୍ଘ ସମୟ ଧରି ଦେଶକୁ ନେତୃତ୍ୱ ଦେଇଥିଲେ ଏବଂ ଶନିବାର ସକାଳେ ଆମେରିକା-ଇସ୍ରାଏଲର ମିଳିତ ସାମରିକ ଅଭିଯାନରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖାମେନିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପ୍ରଥମେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଦେଇଥିଲେ। ଶନିବାର ରାତିରେ (ଭାରତୀୟ ସମୟ) ଏକ ପୋଷ୍ଟରେ ସେ କହିଥିଲେ ଯେ, ଖାମେନିଙ୍କ ମୃତ୍ୟୁ ଇରାନର ଲୋକଙ୍କ ପାଇଁ ଦେଶର ନିୟନ୍ତ୍ରଣ ଫେରି ପାଇବାର ଏକ ବଡ଼ ସୁଯୋଗ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ଖାମେନି ଇତିହାସର ସବୁଠାରୁ ଖରାପ ଲୋକଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ମୃତ୍ୟୁ ନ୍ୟାୟ ପରି।
ସେ କହିଥିଲେ ଯେ, ଏହା କେବଳ ଇରାନର ଲୋକଙ୍କ ପାଇଁ ନୁହେଁ ବରଂ ଆମେରିକା ଓ ବିଶ୍ୱ ପାଇଁ ନ୍ୟାୟ । ସେପଟେ ବିଶ୍ୱର ଅନେକ ଦେଶ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ଖାମେନିଙ୍କ ହତ୍ୟା ବିରୋଧରେ ପ୍ରତିବାଦ ହୋଇଛି । ଆମେରିକା ଏବଂ ଇସ୍ରାଏଲକୁ ସମାଲୋଚନା କରାଯାଇଛି । ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଖାମେନିଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରତିବାଦକାରୀ ଅଭିଯୋଗ କରିଛନ୍ତି । ଖାମେନିଙ୍କ ମୃତ୍ୟୁ ପରେ ଭାରତରେ ରାଜନୀତି ମଧ୍ୟ ଜୋର ହୋଇଛି ।
ବିରୋଧୀ କଂଗ୍ରେସ କେନ୍ଦ୍ରର ବିଜେପି ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଆଭିମୁଖ୍ୟରେ ସ୍ପଷ୍ଟତା ଆଣିବା ଦରକାର ବୋଲି କହିଥିଲେ କଂଗ୍ରେସଦ ସାଂସଦ ରାହୁଲ ଗାନ୍ଧୀ । ସୋନିଆ ଗାନ୍ଧୀ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଆଉ ଏବେ ଇରାନ୍ର ସର୍ବୋଚ୍ଚ ନେତା ଖାମେନିଙ୍କ ମୃତ୍ୟୁକୁ ୫ ଦିନ ବିତିଥିବା ବେଳେ, ଭାରତ ସରକାର ଶୋକ ପ୍ରକାଶ କରିଛନ୍ତି ।