ଆଜି ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ,ଦେଶବ୍ୟାପୀ ଉତ୍ସବର ମାହୋଲ୍

ଆଜି ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ଦେଶବ୍ୟାପୀ ଉତ୍ସବର ମାହୋଲ୍। ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ସ୍ଵତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ତାଙ୍କର ୧୩ତମ କ୍ରମାଗତ ସ୍ବାଧୀନତା ଦିବସ ଅଭିଭାଷଣ। ଚଳିତ ବର୍ଷର ଏହି ମହାନ ପର୍ବ ବେଶ୍ ସ୍ବତନ୍ତ୍ର। ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ଗୌରବମୟ ଯାତ୍ରା ଏବଂ ‘ବିକଶିତ ଭାରତ ୨୦୪୭’ ଗଠନରେ ଦେଶର ଯୁବ ଶକ୍ତିର ଅଦମ୍ୟ ଉତ୍ସାହକୁ ସମର୍ପିତ ହୋଇଛି ଏହି ସମାରୋହ। ଇତିହାସରେ ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ଗାନ କରାଯିବ ‘ବନ୍ଦେ ମାତରମ୍’। ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲାରେ ପହଞ୍ଚିବାଠାରୁ ଆରମ୍ଭ କରି, ଜାତୀୟ ପତାକା ଉତ୍ତୋଳନ, ୨୧ ତୋପର ସଲାମୀ, ହେଲିକପ୍ଟରରୁ ପୁଷ୍ପବୃଷ୍ଟି ଏବଂ ଛାତ୍ରଛାତ୍ରୀଙ୍କ ସମୂହ ‘ବନ୍ଦେ ମାତରମ୍’ ଗାନ ପର୍ୟ୍ୟନ୍ତ ସବୁକିଛି ବେଶ୍ ଆକର୍ଷକ ରହିଛି। ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ସ୍ବାଗତ କରିବେ। ଏହାପରେ ପ୍ରତିରକ୍ଷା ସଚିବ ଦିଲ୍ଲୀ କ୍ଷେତ୍ରର ଜେନେରାଲ୍ ଅଫିସର୍ କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ୍ ରାଜେଶ ସେଠୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପରିଚୟ କରାଇବେ। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ୍ ରାଜେଶ ସେଠୀ ପ୍ରଧାନମନ୍ତ୍ରୀଙ୍କୁ ସାଲ୍ୟୁଟିଂ ବେସ୍‌କୁ ନେଇଯିବେ, ଯେଉଁଠାରେ ତିନିସେନା ଏବଂ ଦିଲ୍ଲୀ ପୁଲିସର ମିଳିତ ଦଳ ପକ୍ଷରୁ ତାଙ୍କୁ ସଲାମୀ ପ୍ରଦାନ କରାଯିବ। ସକାଳ ସାଢ଼େ ୭ଟାରେ ଲାଲକିଲାରେ ଜାତୀୟ ପକାତା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଛି।

Leave a comment