୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଶୁକ୍ରବାର ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଏହି ବୋମା ଧମକ ମିଳଛି। ଦିଲ୍ଲୀ ହାଇକୋର୍ଟ ସହ ଏୟାରପୋର୍ଟ, ଝାଣ୍ଡେୱାଲାନ କୋଠା ସମେତ ୬ଟି ସ୍ଥାନକୁ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ।ଦିଲ୍ଲୀ ହାଇକୋର୍ଟର ଯୁଗ୍ମ ସଚିବ ତଥା ଆଇନଜୀବୀ କୁନାଲ୍ ANIକୁ କହିଛନ୍ତି ଯେ, ମିଳିଥିବା ବୋମା ଧମକ ମିଥ୍ୟା ହୋଇଥିବା ଆଶଙ୍କା ରହିଛି। ବର୍ତ୍ତମାନ ସବୁକିଛି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସ୍ନିଫର ଡଗ୍ ଦ୍ୱାରା ସମ୍ପୂର୍ଣ୍ଣ ପରିସରରେ ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ବିପଦର ସଙ୍କେତ ମିଳିନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଦିଲ୍ଲୀ ହାଇକୋର୍ଟ ନୁହେଁ, ଆହୁରି ପାଞ୍ଚଟି ସ୍ଥାନକୁ ମଧ୍ୟ ବୋମା ଧମକ ମିଳିଥିବା ଦିଲ୍ଲୀ ଫାୟାର ସର୍ଭିସ୍ ପକ୍ଷରୁ ସୂଚନା ମିଳିଛି। ଜାମନଗର ହାଉସ୍, ଝଣ୍ଡେୱାଲାନ୍ ଫ୍ଲାଟେଡ୍ ଫ୍ୟାକ୍ଟ୍ରି କମ୍ପ୍ଲେକ୍ସ, DM ଅଫିସ୍, IGI ବିମାନବନ୍ଦରର ଟର୍ମିନାଲ-୩ ଏବଂ ଦିଲ୍ଲୀ କ୍ୟାଣ୍ଟ୍ର SDM ଅଫିସକୁ ମଧ୍ୟ ଧମକ ମିଳିଛି। ସୂଚନା ପାଇବା ପରେ ଏହି ସମସ୍ତ ସ୍ଥାନକୁ ଅଗ୍ନିଶମ ବିଭାଗର ଗାଡ଼ି ପଠା ଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ANI ରିପୋର୍ଟରେ କୁହାଯାଇଛି।ସ୍ୱାଧୀନତା ଦିବସ ପୂର୍ବରୁ ଏକାଧିକ ସ୍ଥାନକୁ ଧମକ ମିଳିବା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଧମକଗୁଡ଼ିକର ଉତ୍ସ ଏବଂ ସତ୍ୟତା ନେଇ ତଦନ୍ତ ଜାରି ରହିଛି। ସ୍ବାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ପବ୍ଲିକ ସ୍ଥାନ ଏବଂ ଟ୍ରାଫିକ୍ ରେ ଯାଞ୍ଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave a comment