ମୁକୁଳିବେନି ଦାରା ସିଂ । ସବୁ ଚର୍ଚ୍ଚାରେ ପଡି଼ଲା ପୂର୍ଣ୍ଣଚ୍ଛେଦ । ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ ହୋଇଛନ୍ତି । ସେଅଗଷ୍ଟ ୧୫ରେ କେନ୍ଦୁଝର ଜେଲରୁ ମୁକୁଳିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା । କିନ୍ତୁ ଏବେ ମୁକୁଳି ପାରିବେ ନାହିଁ ଦାରା ସିଂ ।
ରିପୋର୍ଟ ଅନୁସାରେ, ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ତାଙ୍କର ପ୍ରକୃତ ନାଁ ହେଲା ରବୀନ୍ଦ୍ର କୁମାର ପାଲ । ସେ ଦାରା ସିଂ ଭାବେ ପରିଚିତ । କିଛି ଦିନ ତଳେ ତାଙ୍କ ପାଇଁ ଆସିଥିଲା ଖୁସି ଖବର । ସେ ଜେଲରୁ ଖଲାସ ହେବେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଦାରାଙ୍କ ମୁକ୍ତିପାଇଁ ଜିଲ୍ଲାସ୍ତରରୁ ପୁନର୍ବାର ପ୍ରସ୍ତାବ ପଠାଯାଇଛି । ଯାହାକୁ ନେଇ ପରେ ମୁକ୍ତି ଉପରେ ପୁନର୍ବିଚାର କରାଯିବ ବୋଲି ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ୪୮ତମ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏହା ପୂର୍ବରୁ ଜୁଲାଇ ୬ରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜେଲରେ ସଜ୍ଜା କାଟୁଥିବା ୧୯ ଜଣ କଏଦୀଙ୍କୁ ମୁକ୍ତ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା । କେନ୍ଦୁଝର ଜିଲ୍ଲାରୁ ଦଶର ମୁଣ୍ଡାଙ୍କ ମୁକ୍ତି ଆବେଦନ ଏହି ବୈଠକରେ ଗୃହୀତ ହୋଇଛି। ଦଶର ୨୩ ବର୍ଷ ୩ ମାସ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି|କିନ୍ତୁ ଅନ୍ୟ ୩୧ ଜଣଙ୍କ ମୁକ୍ତି ଆବେଦନକୁ ଖାରଜ କରାଯାଇଛି।ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇପୁଅ ଫିଲିପ ଓ ତିମୋଥିଙ୍କୁ ପୋଡ଼ି ହତ୍ୟା କରିବା ଅଭିଯୋଗରେ ଦାରା ସିଂ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ସହ ଅନ୍ୟ ୬ ଜଣଙ୍କ ମୁକ୍ତି ପ୍ରକ୍ରିୟା ବିଳମ୍ବ ହେବା ନେଇ ଆଶଙ୍କା କରାଯାଉଛି । ତାଙ୍କ ମୁକ୍ତି ପାଇଁ ଜିଲ୍ଲା ବୋର୍ଡ ୨୦୨୫ ମାର୍ଚ୍ଚରେ ଅନୁମୋଦନ ଦେଇଥିଲା । ଏହାପରେ ବି ପୁନଃ ଅନୁମୋଦନର ଆବଶ୍ୟକ ରହିଥିଲା । ହେଲେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡରେ ତାଙ୍କ ମୁକ୍ତି ନେଇ ରାସ୍ତା ଫିଟିନି । ଜିଲ୍ଲାସ୍ତରରୁ ପୁଣି ପ୍ରସ୍ତାବ ପଠାଯିବା ପରେ ମାମଲାଟି ବିଚାରକୁ ଆସିବ । ଅନ୍ୟପକ୍ଷରେ ଦାରା ସିଂଙ୍କ ମୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏସବୁ ସତ୍ତ୍ୱେ ଅଗଷ୍ଟ ୧୫ରେ ଦାରାଙ୍କ ମୁକ୍ତି ନେଇ ପୂର୍ବରୁ ଖବର ଆସିଥିଲେ ବି ଏହି ପ୍ରକ୍ରିୟା ବିଳମ୍ବିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି ।