‘ଦୃଶ୍ୟମ୍ ୩’ ଟ୍ରେଲର୍ ରିଲିଜ୍,ରୋମାଞ୍ଚ ଓ ସସ୍ପେନ୍ସରେ ଭରପୂର ଟ୍ରେଲର
ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର୍ ‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ବା ‘ଦୃଶ୍ୟମ୍ ୩’ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ‘ଦୃଶ୍ୟମ୍ ୩’ ସାଲଗାଓଁକର ପରିବାରର କ୍ରାଇମ୍ ଗାଥାର ଶେଷ ଅଧ୍ୟାୟ ହେବ । ଯାହା ୨୦୧୫ରୁ ଆରମ୍ଭ ହୋଇଥିଲା । ଫିଲ୍ମର ପ୍ରଥମ ଦୁଇଟି ଭାଗ ଖୁବ୍ ହିଟ୍ ହୋଇଥିଲା । ଏବେ ତୃତୀୟ ଭାଗକୁ ନେଇ ମଧ୍ୟ ପ୍ରଶଂସକଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ମେକର୍ସ ସେପ୍ଟେମ୍ବର ୯ ବୁଧବାର ଅର୍ଥାତ୍ ଆଜି ‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ର ଦମଦାର ଟ୍ରେଲର୍ ରିଲିଜ୍ କରିଛନ୍ତି ।
‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ର ଟ୍ରେଲରକୁ ଏପରି ଏକ ବିଶେଷ ସ୍ଥାନରେ ଲଞ୍ଚ୍ କରାଯାଇଛି, ଯାହା ସିଧାସଳଖ ଫିଲ୍ମର କାହାଣୀ ସହ ଜଡ଼ିତ । ‘ଦୃଶ୍ୟମ୍ ୩’ ର ଦୁନିଆକୁ ମୁମ୍ବାଇ ନୁହେଁ, ବରଂ ଗୋଆର ପଣଜୀରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଛି । ଟ୍ରେଲରଟି ରୋମାଞ୍ଚ ଓ ସସ୍ପେନ୍ସରେ ଭରପୂର ହୋଇ ରହିଛି । ଟ୍ରେଲର୍ ରିଲିଜ୍ କରି ମେକର୍ସ କ୍ୟାପ୍ସନରେ ଲେଖିଛନ୍ତି ଯେ, “ପ୍ରତ୍ୟେକ ଦୃଶ୍ୟ ଏକ ପ୍ରଶ୍ନ, ପ୍ରତ୍ୟେକ ରହସ୍ୟର ଏକ ଉତ୍ତର । କିଏ ହେବ କାହା ଉପରେ ଭାରୀ ।
ଟ୍ରେଲର୍ ଆରମ୍ଭରେ ତବୁ ସୌରଭ ଶୁକ୍ଳା ନଜର ଆସିଛନ୍ତି । ସେ ସୌରଭ ଶୁକ୍ଲାଙ୍କୁ ପଚାରୁଛନ୍ତି, ଯଦି ତାଙ୍କୁ ବିଜୟଙ୍କ କାହାଣୀର ସିକ୍ୱେଲ୍ ଲେଖିବାକୁ ପଡ଼େ, ତେବେ ତାଙ୍କ ମତରେ ଏଥର ବିଜୟ କ’ଣ କରିବେ? ଏହାର ଉତ୍ତରରେ ସୌରଭ କହୁଛନ୍ତି ଯେ ବିଜୟ କ’ଣ କରିବେ କିମ୍ବା କ’ଣ କରିବେ ନାହିଁ, ତାହା ବିଜୟ ଜାଣନ୍ତି କିମ୍ବା ଭଗବାନ ଜାଣନ୍ତି ।
ଏହାପରେ ଅଜୟ ଦେବଗନଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି ଯେ, ଆପଣ କହୁଛନ୍ତି ତାଙ୍କ ପାଖରେ ମଜବୁତ ପ୍ରମାଣ ଅଛି । ତେବେ କେଉଁ ପ୍ରମାଣ ବିଷୟରେ କହୁଛନ୍ତି? ସ୍କ୍ରିନରେ ଶ୍ରିୟା ଓ ଇଶିତାଙ୍କୁ ଚିନ୍ତିତ ଅବସ୍ଥାରେ କିଛି କାଗଜ ପୋଡ଼ୁଥିବାର ଦୃଶ୍ୟ ଦେଖାଯାଉଛି । ଏହାପରେ ରଜତ କପୁର କହୁଛନ୍ତି ଯେ ତାଙ୍କୁ ନିଜ ପୁଅ ପାଇଁ ନ୍ୟାୟ ଦରକାର । ଅନ୍ୟପଟେ ତବୁ କହୁଛନ୍ତି ଯେ, ତାଙ୍କୁ ନ୍ୟାୟ ନୁହେଁ, ପ୍ରତିଶୋଧ ଦରକାର ।
ଟ୍ରେଲରରେ ପ୍ରକାଶ ରାଜଙ୍କୁ ଜଣେ ଦମଦାର ଓକିଲ ଭୂମିକାରେ ଦେଖିବାକୁ ମିଳୁଛି । ସେ କହୁଛନ୍ତି ଯେ, ଜଣେ ବ୍ୟକ୍ତି ଅଶିକ୍ଷିତ ହୋଇପାରନ୍ତି, କିନ୍ତୁ ମୂର୍ଖ ନୁହନ୍ତି ଏବଂ ତାଙ୍କୁ ହାଲୁକା ଭାବେ ନେବାର ଭୁଲ୍ ସେ କରିବେ ନାହିଁ । ଏହାପରେ ଏସ୍ପି କ୍ରାଇମ୍ ବ୍ରାଞ୍ଚ୍ ଭୂମିକାରେ ଜୟଦୀପ ଅହଲାୱତଙ୍କ ଏଣ୍ଟ୍ରି ହୋଇଛି । ସେ କହୁଛନ୍ତି ଯେ, ଯାହା ଉପରେ ତାଙ୍କ ନଜର ପଡ଼େ, ତାହାର ଖରାପ ସମୟ ଆରମ୍ଭ ହୋଇଯାଏ ।
ଟ୍ରେଲରକୁ ଦେଖିଲେ ଅନୁମାନ କରାଯାଇପାରୁଛି ଯେ ଫିଲ୍ମଟି ଖୁବ୍ ରୋମାଞ୍ଚକର ହେବ । ଏହା ସାଲଗାଓଁକର ପରିବାରର କାହାଣୀର ଶେଷ ଅଧ୍ୟାୟ ହୋଇଥିବାରୁ ଏଥିରେ ସସ୍ପେନ୍ସ ଆହୁରି ବଢ଼ିଛି । ବିଜୟ ସାଲଗାଓଁକରଙ୍କ ସାମ୍ନାରେ ନିଜ ପରିବାରକୁ ବଞ୍ଚାଇବା ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ ରହିଛି ଏବଂ ବିପଦ ମଧ୍ୟ ବଢ଼ିଯାଇଛି । ଏଥର ଅନେକ ବଡ଼ ରହସ୍ୟର ଖୁଲାସା ହୋଇପାରେ, ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଫିଲ୍ମ ସହ ଯୋଡ଼ି ରଖିବ ।
ଟ୍ରେଲର୍ ରିଲିଜ୍ ପୂର୍ବରୁ ‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ର ନୂଆ ପୋଷ୍ଟର୍ ମଧ୍ୟ ଜାରି କରାଯାଇଥିଲା । ଏଥିରେ ବିଜୟ (ଅଜୟ ଦେବଗନ), ନନ୍ଦିନୀ (ଶ୍ରିୟା), ଅଞ୍ଜୁ (ଇଶିତା ଦତ୍ତ) ଏବଂ ଅନୁ (ମୃଣାଲ ଯାଧବ)ଙ୍କ ସମେତ ସାଲଗାଓଁକର ପରିବାରକୁ ପୋଲିସ୍ ଫୋର୍ସକୁ ଦେଖୁଥିବାର ଏକ ଝଲକ ଦେଖିବାକୁ ମିଳିଥିଲା । ଅଜୟ ଦେବଗନ ମଧ୍ୟ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରି ଲେଖିଥିଲେ ଯେ, “ଏଥର ବିପଦ ଆହୁରି ବଡ଼ । ସାଲଗାଓଁକର ପରିବାର ପୁଣି ଘରକୁ ଫେରିଛି ।”
ଏହା ପୂର୍ବରୁ ନିର୍ଦ୍ଦେଶକ ଅଭିଷେକ ପାଠକ କହିଥିଲେ ଯେ ‘ଦୃଶ୍ୟମ୍ ୩’ର ସ୍କ୍ରିପ୍ଟ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା । ତୃତୀୟ ଫିଲ୍ମ ତିଆରି ପ୍ରକ୍ରିୟା ବିଷୟରେ ସେ କହିଥିଲେ ଯେ ‘ଦୃଶ୍ୟମ୍ ୨’ପରେ କାହାଣୀ ପ୍ରସ୍ତୁତ କରିବାକୁ ପ୍ରାୟ ଏକ ବର୍ଷ ଲାଗିଥିଲା ଏହାପରେ ସ୍କ୍ରିନପ୍ଲେ ଲେଖିବା ଏବଂ ଏହାକୁ ବିକଶିତ କରିବାରେ ଆଉ ଏକ ବର୍ଷ ସମୟ ଲାଗିଥିଲା ।
କାହାଣୀ ଦ୍ୱିତୀୟ ଭାଗ ଯେଉଁଠାରେ ଶେଷ ହୋଇଥିଲା, ସେହିଠାରୁ ଆଗକୁ ବଢ଼ିବ । କିନ୍ତୁ ଏହାପରର ଯାତ୍ରା ସମ୍ପୂର୍ଣ୍ଣ ନୂଆ ହେବ। ଦର୍ଶକମାନେ ଯେଉଁ ଦୁନିଆକୁ ପସନ୍ଦ କରିଛନ୍ତି, ‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ ସେହି ଦୁନିଆ ପ୍ରତି ସତ୍ୟନିଷ୍ଠ ରହିବା ସହ କାହାଣୀକୁ ଏକ ନୂଆ ଏବଂ ରୋମାଞ୍ଚକର ଦିଗରେ ନେଇଯିବା ପାଇଁ ସ୍କ୍ରିନ୍ପ୍ଲେ ଉପରେ ଖୁବ୍ ସତର୍କତାର ସହ କାମ କରାଯାଇଛି।
‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’କୁ ଷ୍ଟାର୍ ଷ୍ଟୁଡିଓଜ୍ ଏବଂ ପାନୋରମା ଷ୍ଟୁଡିଓଜ୍ ପ୍ରେଜେଣ୍ଟ କରିଛନ୍ତି । ଅଭିଷେକ ପାଠକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଆମିଲ୍ କିୟାନ୍ ଖାନ୍ ଏବଂ ପରଭେଜ୍ ଶେଖଙ୍କ ସହ ମିଶି ଅଭିଷେକ ପାଠକ ଏହାର କାହାଣୀ ମଧ୍ୟ ଲେଖିଛନ୍ତି ।
ଫିଲ୍ମରେ ଅଜୟ ଦେବଗନ ବିଜୟ ସାଲଗାଓଁକର, ତବୁ ଆଇଜି ମୀରା ଦେଶମୁଖ ଏବଂ ଶ୍ରିୟା ସରନ୍ ନନ୍ଦିନୀଙ୍କ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ରଜତ କପୁର, ଇଶିତା ଦତ୍ତ, ଜୟଦୀପ ଅହଲାୱତ ଏବଂ ପ୍ରକାଶ ରାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି ।
ଏହି ହିନ୍ଦୀ ରିମେକ୍ ୨୦୧୫ର ‘ଦୃଶ୍ୟମ୍’ ଫିଲ୍ମ ସହ ଆରମ୍ଭ ହୋଇଥିଲା, ଯାହା ମୋହନଲାଲଙ୍କ ମୁଖ୍ୟ ଭୂମିକା ଥିବା ମାଲାୟାଲମ୍ ଫିଲ୍ମ ଉପରେ ଆଧାରିତ ଥିଲା । ଏହାର ସିକ୍ୱେଲ୍ ‘ଦୃଶ୍ୟମ୍ ୨’ ୨୦୨୨ରେ ରିଲିଜ୍ ହୋଇଥିଲା ଏବଂ ବିଜୟଙ୍କ କାହାଣୀକୁ ଜାରି ରଖିଥିଲା । “ଦୃଶ୍ୟମ୍: ଦି କନକ୍ଲୁଜନ୍” ଅକ୍ଟୋବର ୨ରେ ସିନେମା ହଲରେ ରିଲିଜ କରିବ ।