ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
ଦିଲ୍ଲୀ PG ଟ୍ରାଜେଡି: ୬ ମୃତ । ଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା ବଏଜ୍ PG ଭୁଶୁଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୬ରୁ ୭ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିବାବେଳେ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ AIIMS ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି । ବିଲ୍ଡିଂ ଭୁଶୁଡ଼ିବା ପରେ ଘର ମାଲିକ ହରିରାମ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ ଆଇଆର୍ ରୁଜୁ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଦିଲ୍ଲୀ ପୋଲିସ ସାଉଥ୍ କ୍ୟାମ୍ପସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ FIR ରୁଜୁ କରିଛି । ଧାରା ୧୦୫, ଅଜାଣତରେ ଦଣ୍ଡନୀୟ ନରହତ୍ୟା, ଧାରା ୨୯୦, କୋଠା ନିର୍ମାଣ, ଭାଙ୍ଗିବା ବା ମରାମତି ବେଳେ ଅବହେଳା ପ୍ରଦର୍ଶନ, ଏବଂ ଧାରା ୧୨୫, ଅନ୍ୟମାନଙ୍କ ଜୀବନ ଓ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ଅଧୀନରେ ମାମଲା ଦାଏର କରିଛି । ଫେରାର ଥିବା ଅଭିଯୁକ୍ତ ମାଲିକ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ ଜାରି ରହିଛି । ଭଗ୍ନାବଶେଷ ତଳେ ଆହୁରି କିଛି ଛାତ୍ର ଫସିଥିବା ଆଶଙ୍କାରେ ଉଦ୍ଧାର ଅଭିଯାନ ଜାରି ରହିଛି ।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ କୋଠାଟି ପ୍ରାୟ ୪୦ରୁ ୫୦ ବର୍ଷ ପୁରୁଣା ଥିଲା ଏବଂ ଏହାର ବେସ୍ ମେଣ୍ଟରେ ମରାମତି କାମ ଚାଲିଥିଲା । ଏହି ସମୟରେ ହିଁ ପୂରା କୋଠା ଭୁଶୁଡ଼ି ପଡ଼ିଥିଲା । ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ନିର୍ମିତ କୋଠା ତଳେ ଅଧିକ ଭଡ଼ା ଜାଗା ସୃଷ୍ଟି କରିବା ପାଇଁ ବେସ୍ ମେଣ୍ଟ ଖୋଳାଯାଉଥିଲା । ଉପର ଭାଗକୁ ମଜବୁତ କରାଯାଇଥିଲେ ମଧ୍ୟ ତଳ ଭାଗର ପିଲାର ଓ ମୂଳଦୁଆ ଦୁର୍ବଳ ଥିବା ଅଭିଯୋଗ ହୋଇ ଛି। ବେସ୍ ମେଣ୍ଟରେ ପାଣି ମଧ୍ୟ ଜମିଥିବା କୁହାଯାଉ ଛି। PGରେ ପୂର୍ବରୁ ରହୁଥିବା ଜଣେ ଛାତ୍ର କୋଠାର କାନ୍ଥରେ ଆଗରୁ ଫାଟ ଦେଖାଦେଇଥିବା କହିଛନ୍ତି । ତେବେ ବେସମେଣ୍ଟ କାମ ଯୋଗୁଁ ହିଁ କୋଠା ଭୁଶୁଡ଼ିଲା କି ଏହା ପଛରେ ଅନ୍ୟ କୌଣସି ଢାଞ୍ଚାଗତ ତ୍ରୁଟି ରହିଥିଲା, ସେନେଇ ଚୂଡ଼ାନ୍ତ ବୈଷୟିକ ରିପୋର୍ଟ ଆସିନାହିଁ। ଅସୁରକ୍ଷିତ କିମ୍ବା ବେଆଇନ ବେସ୍ ମେଣ୍ଟ କାମ ହୋଇଥିଲା କି ନାହିଁ, ତାହା ତଦନ୍ତରେ ଯାଞ୍ଚ କରାଯିବ। ଘଟଣା ପରେ ଦିଲ୍ଲୀ ପୋଲିସ PG ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । PG ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଆନନ୍ଦ ଗୁରୁଗ୍ରାମରେ ରହୁଥିବା ଏବଂ ସତ୍ୟ ନିକେତନ ଅଞ୍ଚଳରେ ୩ରୁ ୪ଟି PG ଚଳାଉଥିବା କୁହାଯାଉଛି । ଭୁଶୁଡ଼ିଥିବା କୋଠାଟି ‘Hostel Daze’ ନାମରେ ବଏଜ୍ PG ଭାବେ ଚାଲୁଥିଲା । ତଳ ମହଲାରେ ଏକ ମେଡିସିନ୍ ଦୋକାନ ଥିବାବେଳେ ଉପର ମହଲାଗୁଡ଼ିକରେ ଛାତ୍ରମାନେ ରହୁଥିଲେ। ରବିବାର ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସତ୍ୟ ନିକେତନର ନାନକପୁରା ଗୁରୁଦ୍ୱାରା ନିକଟରେ ଏହି ଅଘଟଣ ଘଟିଥିଲା। ଦିଲ୍ଲୀ ୟୁନିଭର୍ସିଟିର ସାଉଥ୍ କ୍ୟାମ୍ପସ ନିକଟରେ ଥିବାରୁ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ PGରେ ରହନ୍ତି। ‘Hostel Daze’ରେ ମୁଖ୍ୟତଃ କେରଳ, ହରିୟାଣା ଓ ଉତ୍ତରପ୍ରଦେଶର ଛାତ୍ରମାନେ ରହି ପାଠ ପଢ଼ୁଥିଲେ। ଗୋଟିଏ ବେଡ୍ ପାଇଁ ମାସିକ ଭଡ଼ା ପ୍ରାୟ ୧୨ ହଜାର ଟଙ୍କା ଥିବା କୁହାଯାଉଛି । କୋଠା ଭୁଶୁଡ଼ିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀ, NDRF, ଦିଲ୍ଲୀ ପୋଲିସ, MCD ଓ ଅନ୍ୟ ଏଜେନ୍ସିର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା କାମ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ପାଖ କୋଠାକୁ ମଧ୍ୟ ଖାଲି କରାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । ଏବେ ତଦନ୍ତର ଫୋକସ୍ PG କୋଠାର ସୁରକ୍ଷା, ବେସ୍ ମେଣ୍ଟରେ କେଉଁ ପ୍ରକାର କାମ ଚାଲିଥିଲା ଏବଂ ଏଥିପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ—ତାହା ଉପରେ ରହିବ। ଏତେ ପୁରୁଣା କୋଠାରେ ଛାତ୍ରମାନଙ୍କ ପାଇଁ PG ଚଳାଇବା ବେଳେ ଆବଶ୍ୟକ ସୁରକ୍ଷା ନିୟମ ପାଳନ ହୋଇଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ ହେବ।