PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଘଟିଥିବା ବହୁତଳ ପେଇଂ ଗେଷ୍ଟ (PG) କୋଠା ଭୁଶୁଡ଼ିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଦୁଃଖଦ ଅଘଟଣରେ ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଥମେ ଏମ୍ସ ଟ୍ରମା ସେଣ୍ଟରକୁ ଯାଇ ଚିକିତ୍ସାଧୀନ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହାପରେ ସେ ସତ୍ୟ ନିକେତନସ୍ଥ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟର ପ୍ରତ୍ୟକ୍ଷ ସମୀକ୍ଷା କରିଥିଲେ। ସାଧାରଣ ଜନତା ଏବଂ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦକ୍ଷିଣ ଜୋନ୍ର MCD ଡେପୁଟି କମିଶନରଙ୍କ ସମେତ ୪ ଜଣ ଜୁନିୟର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।
ସୂଚନାଯୋଗ୍ୟ ଯେ, ସତ୍ୟ ନିକେତନ ଅଞ୍ଚଳରେ ଥିବା ଏହି କୋଠାଟି ପ୍ରାୟ ୪୦ ରୁ ୫୦ ବର୍ଷର ପୁରୁଣା ଥିଲା, ଯେଉଁଥିରେ ବେଆଇନ ଭାବେ ଅତିରିକ୍ତ ମହଲା ନିର୍ମାଣ କରାଯାଇ ଛାତ୍ରମାନଙ୍କ ପାଇଁ PG ଭାବେ ବ୍ୟବହାର କରାଯାଉଥିଲା। ବେସମେଣ୍ଟରେ ଜଳନିଷ୍କାସନ ଏବଂ ଅବୈଧ ମରାମତି କାମ ଚାଲିଥିବା ସମୟରେ ହଠାତ୍ ସମ୍ପୂର୍ଣ୍ଣ କୋଠାଟି ଭସୁଡ଼ି ପଡ଼ିଥିଲା। ଦୁର୍ଘଟଣାରେ ୭ ଜଣଙ୍କ ପ୍ରାଣହାନୀ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୋଲିସ ଏହି ମାମଲାରେ କଠୋର ଆଭିମୁଖ୍ୟ ଆପଣାଇ କୋଠା ମାଲିକଙ୍କୁ ଗିରଫ କରିସାରିଛି ଏବଂ ନିର୍ମାଣ କରାଉଥିବା ଠିକାଦାରଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି।
ଏହି ଘଟଣା ପରେ ଦିଲ୍ଲୀ ସରକାର ଓ MCD ପକ୍ଷରୁ ସାରା ସହରରେ କଠୋର ନିୟମାବଳୀ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେଠାରୁ ଦିଲ୍ଲୀରେ ଚାଲୁଥିବା ସମସ୍ତ PG, ହଷ୍ଟେଲ, ନର୍ସିଂହୋମ୍ ଓ ସ୍କୁଲ୍ଗୁଡ଼ିକ ପାଇଁ ‘ଷ୍ଟ୍ରକଚରାଲ୍ ସେଫ୍ଟି ସାର୍ଟିଫିକେଟ୍’ନେବା ବାଧ୍ୟତାମୂଳକ କରାଯିବ। ଏହାସହ ବିନା ଅନୁମତିରେ ଓ ବିପଜ୍ଜନକ ସ୍ଥିତିରେ ଚାଲୁଥିବା ବହୁତଳ କୋଠାଗୁଡ଼ିକୁ ସିଲ୍ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।