ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ

ଭାରତ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) କୁ ନେଇ ଶୁକ୍ରବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏଥିରେ ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ଓ ବିଶ୍ୱସନୀୟ ଉପାୟରେ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ ବୋଲି କହିଛି। ବିଦେଶ ମନ୍ତ୍ରାଳୟର ଏହି ପ୍ରତିକ୍ରିୟା ପାକିସ୍ତାନ ପକ୍ଷରୁ ଚିନାବ-ବ୍ୟାସ୍ ଲିଂକ ଟନେଲ ପ୍ରକଲ୍ପ ଓ ସଲାଲ ନଦୀ ବନ୍ଧରୁ ପଙ୍କ ଉଦ୍ଧାର ନେଇ ଭାରତର ଯୋଜନାକୁ ନେଇ ଆପତ୍ତି ପରେ ଆସିଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ପାଣିକୁ ଅସ୍ତ୍ର ରୂପେ ବ୍ୟବହାର କରୁଛି।

ନୂଆଦିଲ୍ଲୀରେ ସାପ୍ତାହିକ ମିଡିଆ ବ୍ରିଫିଙ୍ଗରେ ଏମଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଆମେ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ କରି ରଖିଛୁ ଓ ଏହା ସେ ପର୍ଯ୍ୟନ୍ତ ସ୍ଥଗିତ ରହିବ ଯେ ପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ସମାପ୍ତ ନ କରିଛି। ଜମ୍ମୁ-କାଶ୍ମୀରକୁ ସ୍ୱିଜରଲ୍ୟାଣ୍ଡ ରାଜଦୂତଙ୍କ ଯାତ୍ରାକୁ ନେଇ ପାକିସ୍ତାନର ଟିପ୍ପଣୀ ସମ୍ପର୍କରେ ପଚରା ଯିବାରେ ଜୟସ୍ୱଲ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଏଣୁ ସ୍ୱିସ୍ ରାଜଦୂତ ହୁଅନ୍ତୁ କି ଅନ୍ୟ କୌଣସି ଦେଶର ରାଜଦୂତ ସେଠାକୁ ଯିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।

ଭାରତ ଗତ ମାସରେ ସିନ୍ଧୁ ଜଳ ସନ୍ଧି ୧୯୬୦ ଅନୁସାରେ କଥିତ ରୂପେ ଗଠିତ ମଧ୍ୟସ୍ଥତା ନ୍ୟାୟାଳୟ (କୋର୍ଟ ଅଫ ଆର୍ବିଟ୍ରେସନ) ର ନିଷ୍ପତ୍ତିକୁ ଖାରଜ କରି ଏହାକୁ ଶୁନ୍ୟ ଓ ଅବୈଧ ବୋଲି କହିଥିଲା। ଏମଇଏ କହିଛି ଯେ ୧୫ ମେ ୨୦୨୬ରେ ଅବୈଧ ରୂପେ ଗଠିତ ମଧ୍ୟସ୍ଥତା ନ୍ୟାୟାଳୟ ସିନ୍ଧୁ ଜଳ ସନ୍ଧିର ବ୍ୟାଖ୍ୟା ଓ ଅଧିକତମ ଜଳ ଭଣ୍ଡାରଣ କ୍ଷମତା ସମ୍ପର୍କିତ ମାମଲାରେ ଏକ ରାୟ ଜାରି କରିଥିଲେ, ଯାହାକୁ ଭାରତ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛି। ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଭାରତ କେବେ ଏହି ତଥାକଥିତ ନ୍ୟାୟାଧିକରଣ ଗଠନକୁ ମାନ୍ୟତା ଦେଇ ନାହିଁ। ଏଣୁ ଆର୍ବିଟ୍ରେସନର କୌଣସି ନିଷ୍ପତ୍ତି, ରାୟ ଅଥବା ଆଦେଶ ଭାରତ ଦୃଷ୍ଟିରେ ଆଇନ ରୂପେ ମାନ୍ୟ ନୁହେଁ।

ଉଲ୍ଲେଖନୀୟ ଯେ ସିନ୍ଧୁ ଜଳ ସନ୍ଧିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ସିନ୍ଧୁ ନଦୀ ପ୍ରଣାଳୀ ଅନ୍ତର୍ଗତ ନଦୀମାନଙ୍କର ଜଳ ଉପଯୋଗ ସମ୍ପର୍କିତ। ଗତବର୍ଷ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅନ୍ତର୍ଜାତୀୟ ଆଇନ ଅନୁସାରେ ନିଜର ସାର୍ବଭୌମ ଅଧିକାର ବଳରେ ସନ୍ଧି ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ କହିଥିଲା ଯେ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମା ପାର ଆତଙ୍କବାଦକୁ ସମର୍ଥନ ଦେବା ଓ ବିଶ୍ୱସନୀୟ ଭାବେ ସ୍ଥାୟୀ ରୂପେ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ସନ୍ଧି କାର୍ଯ୍ୟକାରୀ ହେବ ନାହିଁ।

ଏହା ପୂର୍ବରୁ ବିଦେଶ ମନ୍ତ୍ରାଳୟ କହିଥିଲା ଯେ ସନ୍ଧି ସ୍ଥଗିତ ରହିବା କାଳରେ ଭାରତ ସେହି ସନ୍ଧି ଅନୁସାରେ ନିଜ ଦାୟିତ୍ୱ ପାଳନ କରିବାକୁ ବାଧ୍ୟ ନୁହେଁ। ଏହା ସହିତ କୌଣସି ମଧ୍ୟସ୍ଥ ନ୍ୟାୟାଳୟ, ବିଶେଷ କରି ଭାରତ ଦ୍ୱାରା ଅବୈଧ ମନେ କରାଯାଉଥିବା ନ୍ୟାୟାଧିକରଣକୁ ଭାରତର ସାର୍ବଭୌମ ନିଷ୍ପତ୍ତିର ବୈଧତା ସମୀକ୍ଷା କରିବାର ଅଧିକାର ନାହିଁ। ଏହା ପୂର୍ବରୁ ଭାରତ ଜମ୍ମୁ-କାଶ୍ମୀରରେ ଥିବା କିଶନଗଙ୍ଗା ଓ ରତଲେ ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ପର୍କିତ ମାମଲାରେ ମଧ୍ୟ ତଥାକଥିତ ମଧ୍ୟସ୍ଥ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ରାୟକୁ ଖାରଜ କରି କହିଥିଲା ଯେ ଏହି ପୁରାତନ୍ତ୍ର ସିନ୍ଧୁ ଜଳ ସନ୍ଧିର ଉଲ୍ଲଂଘନ। ଭାରତ ଅଭିଯୋଗ କରିଛି ଯେ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚଗୁଡିକୁ ଦୂରୁପଯୋଗ କରି ଉତ୍ତରଦାୟିତାରୁ ବର୍ତ୍ତିବାକୁ ଚେଷ୍ଟା କରିଆସୁଛି। ଏଥିରେ ତଥା କଥିତ ମଧ୍ୟସ୍ଥ ପ୍ରକ୍ରିୟା ମଧ୍ୟ ଏହି ରଣନୀତିର ଅଂଶବିଶେଷ।

Leave a comment