ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
ଆଜି ପବିତ୍ର ଗୁରୁଦିବସ । ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀକୁ ଦେଶବ୍ୟାପୀ ‘ଗୁରୁଦିବସ’ ଭାବେ ପାଳନ କରାଯାଉଛି ।୧୯୬୨ ମସିହାରୁ ଏହି ପରମ୍ପରା ଚାଲିଆସୁଥିବାବେଳେ, ସମାଜ ଗଠନରେ ଶିକ୍ଷକଙ୍କ ଅତୁଳନୀୟ ଅବଦାନକୁ ଏହି ଦିନରେ ସ୍ମରଣ କରାଯାଏ । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଡକ୍ଟର ରାଧାକ୍ରିଷ୍ଣନ ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରଖିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲ୍ ଓ କଲେଜରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଛାତ୍ରଛାତ୍ରୀମାନେ ନିଜର ପ୍ରିୟ ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ମାନିତ କରୁଛନ୍ତି ଏବଂ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରୁଛନ୍ତି ।