ଆଜି ଆଲୋକର ପର୍ବ ଦୀପାବଳି ,ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର ,ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ

ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ ।  ସାରା ଦେଶରେ ଏହି ପର୍ବକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଓ ବିଶ୍ୱାସ ରହିଛି। କେଉଁଠି ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ସ୍ମୃତିରେ ଦୀପ ଜଳାଯାଏ, ତ ଆଉ କେଉଁଠି ମାଆ ଲକ୍ଷ୍ମୀ ଓ କାଳୀଙ୍କ ଆରାଧନା କରାଯାଏ । ତେବେ ଓଡ଼ିଶାରେ ଦୀପାବଳିର ରହିଛି ଏକ ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ପରିଚୟ । ଏଠାରେ ଦୀପାବଳି କେବଳ ଆଲୋକ ଓ ଆନନ୍ଦର ପର୍ବ ନୁହେଁ ବରଂ ପୂର୍ବପୁରୁଷଙ୍କୁ ସ୍ମରଣ କରିବାର ଏକ ପବିତ୍ର ଅବସର। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରାଯିବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରାଯାଏ । ଏହି ଅବସରରେ କାଉଁରିଆ କାଠି ଜାଳି ପୂର୍ବପୁରୁଷଙ୍କୁ ଆଲୋକ ଦେଖାଇବାର ପରମ୍ପରା ରହିଛି ।

ଲୋକବିଶ୍ୱାସ ଅନୁସାରେ, ପିତୃପକ୍ଷରେ ପୃଥିବୀକୁ ଆସିଥିବା ପୂର୍ବପୁରୁଷମାନେ କାର୍ତ୍ତିକ ଅମାବାସ୍ୟାରେ ପିତୃଲୋକକୁ ଫେରିଯାଆନ୍ତି । ସେମାନଙ୍କ ଫେରିବା ପଥକୁ ଆଲୋକିତ କରିବା ପାଇଁ କାଉଁରିଆ କାଠି ଜଳାଯାଏ । ଏହି ସମୟରେ ପରିବାରର ସଦସ୍ୟମାନେ ଏକାଠି ହୋଇ ପାରମ୍ପରିକ ବଡ଼ବଡ଼ୁଆ ଡାକ ଦେଇଥାନ୍ତି । ବଡ଼ବଡ଼ୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ଗଡ଼ଉଥାଅ। ଏହି ପାରମ୍ପରିକ ଡାକ ମାଧ୍ୟମରେ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରାଯାଏ । କିଛି ଅଞ୍ଚଳରେ ଏହି ଡାକର ଶବ୍ଦ ଓ ଉଚ୍ଚାରଣରେ ସାମାନ୍ୟ ଭିନ୍ନତା ମଧ୍ୟ ଦେଖିବାକୁ ମିଳେ । ଓଡ଼ିଶାର ଏହି ପରମ୍ପରା ସହ ଶ୍ରୀକ୍ଷେତ୍ର ପୁରୀର ମଧ୍ୟ ଗଭୀର ସମ୍ପର୍କ ରହିଛି । ଦୀପାବଳି ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରଦ୍ଧାଳୁମାନେ ପୟାଶ୍ରାଦ୍ଧ କରିଥାନ୍ତି। ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ କରିବା ପୁରୀରେ ଭକ୍ତଙ୍କ ସମାଗମ ହୁଏ । ପୟାଶ୍ରାଦ୍ଧ ମାଧ୍ୟମରେ ପିତୃପୁରୁଷଙ୍କ ପ୍ରତି ଧାର୍ମିକ କର୍ତ୍ତବ୍ୟ ପାଳନ କରାଯାଏ ବୋଲି ବିଶ୍ୱାସ ରହିଛି ।

ଏହା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ପିଢ଼ି ପରେ ପିଢ଼ି ନିଜ ପରିବାରର ପୂର୍ବଜଙ୍କୁ ମନେ ରଖିବାର ଏକ ସାଂସ୍କୃତିକ ପରମ୍ପରା । ସେହିପରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୀପାବଳି ଅବସରରେ ମାଆ କାଳୀଙ୍କ ପୂଜା କରାଯାଏ । ଘରେ ଘରେ ଦୀପ ପ୍ରଜ୍ୱଳନ ସହ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ । ଏହାସହ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ମିଠା ବଣ୍ଟନ ଓ ଶୁଭେଚ୍ଛା ଆଦାନପ୍ରଦାନ କରାଯାଏ । ଓଡ଼ିଶାର ଦୀପାବଳି ପରମ୍ପରାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଜୀବିତ ଓ ପରଲୋକଗତ ପରିବାର ସଦସ୍ୟଙ୍କ ମଧ୍ୟରେ ଭାବନାତ୍ମକ ସମ୍ପର୍କକୁ ଉଜ୍ଜୀବିତ ରଖିବା । କାଉଁରିଆ କାଠିର ଆଲୋକ କେବଳ ଅନ୍ଧକାର ଦୂର କରିବାର ପ୍ରତୀକ ନୁହେଁ, ବରଂ ପୂର୍ବପୁରୁଷଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ କୃତଜ୍ଞତାର ପ୍ରତୀକ। ସମୟ ବଦଳିବା ସହ ଦୀପାବଳି ପାଳନର ଶୈଳୀ ବଦଳୁଛି । ରଙ୍ଗିନ ଆଲୋକମାଳା ଓ ଆଧୁନିକ ସାଜସଜ୍ଜା ମଧ୍ୟରେ ମଧ୍ୟ ଓଡ଼ିଶାର ବଡ଼ବଡ଼ୁଆ ଡାକ ପରମ୍ପରା ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ।  ଏହି ପରମ୍ପରା ମନେ ପକାଇଦିଏ ଯେ ଦୀପାବଳି କେବଳ ଉତ୍ସବର ଦିନ ନୁହେଁ, ନିଜର ମୂଳ, ପରିବାର ଓ ପୂର୍ବପୁରୁଷଙ୍କୁ ସ୍ମରଣ କରିବାର ଏକ ପବିତ୍ର ଅବସର ।

Leave a comment