ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ ନବୀନ
ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ ପହଞ୍ଚିବା ପରେ ପ୍ରଭାବିତଙ୍କ ସହ ନବୀନ କଥା ହୋଇଛନ୍ତି । ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଶହ ଶହ ଚାଷୀଙ୍କ ଧାନ ଚାଷ ଉଜୁଡ଼ି ଯାଇଛି । ନଷ୍ଟ ହୋଇଥିବା ଧାନକେଣ୍ଡା ଦେଖାଇ ନିଜର ଦୁଃଖ ଜଣାଇଛନ୍ତି ଚାଷୀ । କ୍ଷତିଗ୍ରସ୍ତ ଚାଷୀଙ୍କ ସହ କଥା ହୋଇ ଭାବପ୍ରବଣ ହୋଇପଡ଼ିଛନ୍ତି ନବୀନ ।
ଶେରଗଡ଼ ପରେ ହିଞ୍ଜିଳିକାଟୁ ବ୍ଲକ୍ ର ନୂଆବୁରୁପଡ଼ା ଗ୍ରାମ ପଞ୍ଚାୟତ, ଆସିକା ଓ ସୋରଡ଼ା ବ୍ଲକ୍ ର ବାଲିଗୋଛା ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ । ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଛି । ଅନେକ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି । ବନ୍ୟା ପାଣି ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ନବୀନଙ୍କ ଗସ୍ତକୁ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୁରୁତ୍ୱ ବଢ଼ିଛି । ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ମଧ୍ୟ ଅନୁଧ୍ୟାନ କରୁଛନ୍ତି ନବୀନ ।
ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ କିଭଳି ସହାୟତା ମିଳୁଛି, ଚାଷୀଙ୍କ କ୍ଷୟକ୍ଷତିର ସ୍ଥିତି କ’ଣ ରହିଛି ଏବଂ ପୁନରୁଦ୍ଧାର କାର୍ଯ୍ୟ କେତେଦୂର ଆଗେଇଛି, ସେସବୁ ବିଷୟରେ ପଚାରି ବୁଝିଛନ୍ତି । ଗସ୍ତ ଶେଷ କରି ଅପରାହ୍ଣ ୪ଟା ୧୦ ମିନିଟ୍ ସୁଦ୍ଧା ଭୁବନେଶ୍ୱର ଫେରିବାର କାର୍ଯ୍ୟସୂଚୀ ରହିଛି । କ୍ଷେତରେ ଲହଡ଼ି ଭାଙ୍ଗୁଥିବା ସୁନା ରଙ୍ଗର ଧାନକେଣ୍ଡା ଆଜି କାଦୁଅ ପାଣିରେ ସଢ଼ୁଛି। ବାତ୍ୟା ‘ଅର୍ଣ୍ଣବ’ ଏବଂ ତା’ ପରବର୍ତ୍ତୀ ପ୍ରଳୟଙ୍କାରୀ ବନ୍ୟା ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସର୍ବସ୍ୱ ହରାଇ ଆଖିରୁ ଲୁହ ଗଡ଼ାଉଥିବା ଏହି ଅସହାୟ ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୁଃଖ ଶୁଣିବା ପାଇଁ ଆଜି ନିଜେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ।
ନିଜ ପ୍ରିୟ ନେତାଙ୍କୁ ଟିକେ ଦେଖିବା ଓ ନିଜର ଦୁଃଖ ଜଣାଇବା ପାଇଁ ଶେରଗଡ଼ରେ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା । ଶେରଗଡ଼ରେ ପହଞ୍ଚିବା ମାତ୍ରେ ବନ୍ୟା ପ୍ରଭାବିତ ଚାଷୀମାନେ କାଦୁଅ ସରସର ନଷ୍ଟ ହୋଇଯାଇଥିବା ଧାନକେଣ୍ଡା ନବୀନଙ୍କୁ ଦେଖାଇ ନିଜର କୋହଭରା କାହାଣୀ ଶୁଣାଇଥିଲେ । ବର୍ଷକର ଆହାର ଉଜୁଡ଼ି ଯିବାର ଏହି କରୁଣ ଚିତ୍ର ଦେଖି ନବୀନ ପଟ୍ଟନାୟକ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ । ଚାଷୀଙ୍କ ଦୁଃଖରେ ବ୍ୟଥିତ ହୋଇ ସେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି । ଶେରଗଡ଼ ପରେ ନବୀନ ପଟ୍ଟନାୟକ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ର ନୂଆବୁରୁପଡ଼ା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବେ । ଏହା ସହିତ ଆସିକା ଓ ସୋରଡ଼ା ବ୍ଲକ୍ ର ବାଲିଗୋଛା ଅଞ୍ଚଳ ଗସ୍ତ କରି ସେଠାକାର ବନ୍ୟା ପ୍ରଭାବିତ ଲୋକଙ୍କ ସହ ସେ ସିଧାସଳଖ କଥା ହେବେ ।