ରାତି ଅଧରେ ଗଫର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୨୫ ଦମକଳ ଗାଡ଼ି ନିୟୋଜିତ
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କରୋଲବାଗ ସ୍ଥିତ ଗଫର ମାର୍କେଟରେ ଥିବା ପୁରୀ ପ୍ଲାଜାର ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଏହା ଚାରି ମହଲା କୋଠାକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପ୍ରାୟ ୨୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ କରିଥିଲେ ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ୨୮ ମିନିଟ୍ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ପୋଲିସକୁ PCR କଲ୍ ମିଳିଥିଲା । ପୁରୀ ପ୍ଲାଜାର ୧୩/୨୧ ନମ୍ବର ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଠାରେ ମୋବାଇଲ୍ ଆସେସୋରିଜ୍ ବିକ୍ରି ହୁଏ । ମୋବାଇଲ୍ ବ୍ୟାଟେରୀରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପରେ ନିଆଁ ଦ୍ରୁତ ଗତିରେ ଚାରି ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଫଳରେ ନିଆଁ ଲିଭାଇବା ପାଇଁ ପ୍ରାୟ ୨୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ତିନୋଟି CAT ଆମ୍ବୁଲାନ୍ସ ଏବଂ ଦୁଇଟି PCR ଗାଡ଼ି ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବାର ଖବର ମିଳିନାହିଁ । କେବଳ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ମୋବାଇଲ୍ ବ୍ୟାଟେରୀ ଅତ୍ୟଧିକ ଗରମ ହେବା କିମ୍ବା ଅଧିକ ଚାର୍ଜ ହେବା ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଅନ୍ୟପଟେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ FSL ଟିମ୍ ଏବଂ ବୈଦ୍ୟୁତିକ ନିରୀକ୍ଷକଙ୍କ ପକ୍ଷରୁ ତଦନ୍ତ କରାଯିବ । କୋଠାରେ ସାର୍ଚନିକ ସୁରକ୍ଷାର ଯାଞ୍ଚ କରାଯିବା ସହ MCD ପକ୍ଷରୁ କୋଠାର ସଂରଚନାତ୍ମକ ସୁରକ୍ଷା ମଧ୍ୟ ଯାଞ୍ଚ କରାଯିବ। ବର୍ତ୍ତମାନ ନିଆଁ ନିୟନ୍ତ୍ରଣକୁ ଆସିଥିବା ବେଳେ ଘଟଣାସ୍ଥଳରେ ସ୍ଥିତି ସ୍ୱାଭାବିକ ରହିଛି ।