ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି
ସଂଘର୍ଷପୂର୍ଣ୍ଣ, ହୃଦସ୍ପନ୍ଦନ ବଢାଇ ଦେଉଥିବା ମ୍ୟାଚରେ ବାଜି ମାରି ନେଲା ଭାରତ। ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇଛି। ଶେଷ ପର୍ଯ୍ୟନ୍ତ ଲଢି ହାରିଛି ଇଂଲଣ୍ଡ। ବିଜୟ ସହ ସୂର୍ଯ୍ୟବାହିନୀ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି। ମାର୍ଚ୍ଚ ୮ରେ ଟାଇଟଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ଅନ୍ୟପଟେ ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ବୃଥା ହୋଇଛି। ବେଥେଲ ୧୦୫ ରନ କରିଥିଲେ ହେଁ ଭାରତ ମ୍ୟାଚକୁ ଜିତି ନେଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସଞ୍ଜୁ ସାମସନଙ୍କ ୮୯ ରନ ସହ ଶିବମ ଦୁବେଙ୍କ ୪୩ ରନ, ଇଶାନ କିଶନଙ୍କ ୩୯ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲେ। ଆଜିର ସେମି ବିଜୟ ସହ ଭାରତ କ୍ରମାଗତ ଦ୍ଵିତୀୟ ଥର ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ୨୦୨୪ ଟି-୨୦ ବିଶ୍ଵକପ୍ ଫାଇନାଲ୍ ଖେଳିଥିଲା ଭାରତ।
ଟମ ବାଣ୍ଟନ ୫ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ। ତେବେ ଜାକବ ବେଥେଲଙ୍କ ବ୍ୟାଟ୍ ଅଟକି ନ ଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ। ମ୍ୟାଚ୍ ପୂରା ସଂଘର୍ଷପୂର୍ଣ୍ଣ ରୂପ ନେଇ ଥିଲା। ପ୍ରତିଟି ବଲରେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ସାମ କରନଙ୍କ ସହ ମିଶି ଜାକବ ବେଥେଲ ଇଂଲଣ୍ଡକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ମ୍ୟାଚ୍ ଆଗକୁ ଗତି କରିବା ସହ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।
ବେଥେଲ ଶତକ ହାସଲ କରି ଇଂଲଣ୍ଡର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ବୁମରା ଓ ହାର୍ଦ୍ଦିକ ନିଜର ଶେଷ ଓଭରରେ ଶାଣିତ ବୋଲିଂ କରି ଭାରତକୁ ବିଜୟୀ କରାଇଛନ୍ତି। ବେଥେଲ ୪୮ ବଲରୁ ୮ ଚୌକା ଓ ୭ ଛକା ସହ ୧୦୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ଜୋଫ୍ରା ଆର୍ଚର ୪ ବଲରୁ ୧୯ ରନ କରିଥିଲେ। ଶେଷରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଥିଲା। ଆଉ ଭାରତ ଅତି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୭ ରନରେ ଜିତି ନେଇଛି। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ଏବଂ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଦୁଇ ବୋଲର ଠିକଣା ସମୟରେ ଘାତକ ବୋଲିଂ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।