ଆଜି ୱାଙ୍ଖେଡେରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ତୃତୀୟ ଥର ସେମିରେ ଭାରତ-ଇଂଲଣ୍ଡ ଟକ୍କର ।  ଆଜି ୱାଙ୍ଖେଡେରେ ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ ।  ଉଭୟ ଦଳରେ ରହିଛନ୍ତି ଅଭିଜ୍ଞ ଖେଳାଳି ।  ସେମିରେ ଭାରତୀୟ ଟିମକୁ T-20 ବିଶ୍ବକପରେ ଖେଳିଥିବା ୫ଟି ମ୍ୟାଚ ମଧ୍ୟରୁ ୩ଟିରେ ବିଜୟ ମିଳିଛି ।  ଟିମକୁ ୨୦୧୬ରେ ୱେଷ୍ଟଇଣ୍ଡିଜ ଏବଂ ୨୦୨୨ରେ ଇଂଲଣ୍ଡ ଠାରୁ ପରାଜୟ ମିଳିଥିଲା । ଟିମ ଇଣ୍ଡିଆ ୩ ଥର ଫାଇନାଲରେ ପହଞ୍ଚି ୨ଥର ଚାମ୍ପିଅନ ହୋଇଥିଲା । ୨୦୦୭ରେ ପାକିସ୍ତାନ ଏବଂ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଥିଲା ।  କିନ୍ତୁ ୨୦୧୪ରେ ଭାରତକୁ ଫାଇନାଲରେ ଶ୍ରୀଲଙ୍କା ଠାରୁ ପରାସ୍ତ ହେବାକୁ ପଡ଼ିଥିଲା ।

ଇଂଲଣ୍ଡକୁ ଭାରତ ଭଳି T-20 ବିଶ୍ବକପର ସେମିଫାଇନାଲରେ ୩ଟିରେ ବିଜୟ ଓ ୨ଟିରେ ପରାଜୟ ହୋଇଛି । ଟିମ ୨୦୨୧ ଏବଂ ୨୦୨୪ରେ ପରାସ୍ତ ହୋଇଥିଲା । ୨୦୨୪ରେ ଭାରତ ଠାରୁ ଇଂଲଣ୍ଡ ପରାଜିତ ହୋଇଥିଲା ।  ୩ଥର ଫାଇନାଲ ପହଞ୍ଚି ଥିବା ଇଂଲଣ୍ଡ ଟିମ୍ ୨୦୧୦ ଓ ୨୦୨୨ରେ ଚାମ୍ପିଅନ ହୋଇଥିଲା ବେଳେ ୨୦୧୬ରେ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା । କିଛି କ୍ରିକେଟ ପଣ୍ଡିତଙ୍କ ମତରେ ଆଜିର ମ୍ୟାଚ ବିଜେତା ହିଁ ଫାଇନାଲ ଟ୍ରଫି ନେବ ।  ଅର୍ଥାତ ମ୍ୟାଚରେ ଜୋ ଜିତା ଓହି ସିକନ୍ଦର।  ଯାହା ଗତ ଦୁଇ ଥର ଟି ଟ୍ବେଣ୍ଟି ବିଶ୍ବକପ ଭାରତ-ଇଂଲଣ୍ଡ ସେମି ଫାଇନାଲରେ ଦେଖିବାକୁ ମିଳିଛି ।

ଟି-୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ୬ଷ୍ଠ ଥର ଭେଟିବାକୁ ଯାଉଛନ୍ତି । ଭାରତ ୨୦୦୭ରେ ଜିତିଥିବା ବେଳେ ୨୦୦୯ରେ ବାଜି ମାରିଥିଲା ଇଂଲଣ୍ଡ । ୨୦୧୨ରେ ଭାରତ ପୁଣି ଜିତିଥିଲା । କିନ୍ତୁ ୨୦୨୨ରେ ଇଂଲଣ୍ଡ ୧୦ ୱିକେଟରେ ମ୍ୟାଚକୁ ଜିତି ଫାଇନାଲକୁ ଯାଇଥିଲା ।  ୨୦୨୪ ସେମି ଫାଇନାଲରେ ଇଂଲଣ୍ଡକୁ ହରାଇ ଥିବା ଭାରତ ପରବର୍ତ୍ତୀ ସମୟରେ ଚାମ୍ପିୟନ ଆଖ୍ୟା ପାଇଥିଲା ।  ଅର୍ଥାତ କ୍ରମାଗତ ୩ୟ ଥର ପାଇଁ ଟି-୨୦ ବିଶ୍ୱକପର ସେମିଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଇଂଲଣ୍ଡ ।

ଟି-୨୦ ବିଶ୍ୱକପରେ ଉଭୟ ଦଳ ପରସ୍ପର ସହ ୫ଟି ମ୍ୟାଚ୍ ଖେଳିଥିବାବେଳେ ଭାରତ ୩ଟି ଓ ଇଂଲଣ୍ଡ ୨ଟି ମ୍ୟାଚରେ ଜିତିଛି । ଟି୨୦ ବିଶ୍ବକପରେ ଭାରତ ମୋଟ ୫୯ଟି ମ୍ୟାଚ୍ ଖେଳିଛି । ଟିମକୁ ୪୨ଟିରେ ବିଜୟ ମିଳିଥିଲା ବେଳେ ୧୬ଟିରେ ପରାସ୍ତ ହୋଇଛି । ଅନ୍ୟପଟରେ ୫୯ଟି ମ୍ୟାଚ୍ ଖେଳିଛି । ଏଥିରୁ ୩୪ଟିରେ ବିଜୟୀ ହୋଇଥିଲା ବେଳେ ୨୩ଟିରେ ପରାଜିତ ହୋଇଛି ।

Leave a comment