ସାମରିକ S-70 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,୪ ସେନା ମୃତ

ତୁର୍କୀର ପୂର୍ବ ପ୍ରାନ୍ତ ମାଲାତ୍ୟାରେ ଭୟଙ୍କର ଦୁର୍ଘଟଣା ଘଟିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏକ ସାମରିକ S-70 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଚାରି ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ କହିଛି ଯେ ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ଅସ୍ପଷ୍ଟ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ଅନୁଯାୟୀ, ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସ , ପୋଲିସ ଏବଂ ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାସ୍ଥଳରେ ଭଗ୍ନାବଶେଷରୁ ଧୂଆଁ ଏବଂ ନିଆଁ ଉଠିବା ଦେଖାଯାଇଥିଲା। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ।

ହେଲିକପ୍ଟର ଦୁର୍ଘଟଣାରେ ୪ ଜଣ ସେନା ମୃତ

“ମାଲାତ୍ୟାରେ ଆମର S-70 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଆମର ଚାରି ଜଣ ସେନା ସହିଦ ହୋଇଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଦୁର୍ଘଟଣାର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ଏକ ବୈଷୟିକ ତଦନ୍ତ ଆରମ୍ଭ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି।

ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬:୪୫ ସମୟରେ ମାଲାତ୍ୟାର ୟେସିଲିୟୁର୍ଟ ଜିଲ୍ଲାର ଏକ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତୁର୍କୀର ଆନାଡୋଲୁ ଏଜେନ୍ସି ରିପୋର୍ଟ କରିଛି ଯେ ମାଲାତ୍ୟା ମୁଖ୍ୟ ସରକାରୀ ଓକିଲଙ୍କ କାର୍ଯ୍ୟାଳୟ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ ପାଇଁ ଜଣେ ଉପମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଏବଂ ଦୁଇଜଣ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତ କରାଯାଇଛି।

Leave a comment