ଦିନିକିଆ କ୍ରିକେଟ ଇତିହାସରେ ୱେଷ୍ଟଇଣ୍ଡିଜ ପ୍ରଥମ ଥର ୪୦୦ ରନ୍ ପାର କରିଛି,ଭାରତକୁ ମ୍ୟାଚ୍ ଜିତିବା ପାଇଁ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ

ଦ୍ୱିତୀୟ ଦିନିକିଆରେ ଭାରତ ବିପକ୍ଷରେ ବିଶାଳ ସ୍କୋର ଛିଡ଼ା କରିଛି ୱେଷ୍ଟଇଣ୍ଡିଜ୍। ଗୌହାଟୀରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ମ୍ୟାଚ୍ ଜିତିବା ପାଇଁ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ମିଳିଛି।ଏହା ୱେଷ୍ଟଇଣ୍ଡିଜ୍‌ର ଦିନିକିଆ ଇତିହାସରେ ସର୍ବୋଚ୍ଚ ଦଳୀୟ ସ୍କୋର। ଏହା ପୂର୍ବରୁ ଦଳର ସର୍ବାଧିକ ସ୍କୋର ଥିଲା ୩୮୯ ରନ୍, ଯାହା ୨୦୧୯ରେ ଇଂଲଣ୍ଡ ବିପକ୍ଷରେ କରିଥିଲା।

ଗୌହାଟୀରେ ନିଜ ପୁରୁଣା ରେକର୍ଡକୁ ପଛରେ ପକାଇ କାରିବୀୟ ବ୍ୟାଟରମାନେ ନୂଆ ଇତିହାସ ରଚିଛନ୍ତି।ୱେଷ୍ଟଇଣ୍ଡିଜ୍‌ର ବିଶାଳ ସ୍କୋର ପଛରେ ରହିଛି ତିନିଟି ଶତକୀୟ ଇନିଂସ। ଜନ୍ କ୍ୟାମ୍ପବେଲ୍ ୧୦୧ ରନ୍, ଶାଇ ହୋପ୍ ୧୦୪ ରନ୍ ଏବଂ ଆମିର ଜାଙ୍ଗୁ ୧୧୪ ରନ୍ କରି ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ।ଆରମ୍ଭରୁ ୱେଷ୍ଟଇଣ୍ଡିଜ୍ ବ୍ୟାଟରମାନେ ଭାରତୀୟ ବୋଲିଂ ଆକ୍ରମଣକୁ ସାମ୍ନା କରି ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଗୋଟିଏ ପରେ ଗୋଟିଏ ଶତକ ଆସିବାରୁ ଦଳର ସ୍କୋର ୪୦୦ ରନ୍‌ର ସୀମା ଅତିକ୍ରମ କରିଥିଲା।ବିଶାଳ ସ୍କୋର ମଧ୍ୟରେ ଭାରତ ପାଇଁ ଏକ ବଡ଼ ବ୍ୟକ୍ତିଗତ ଉପଲବ୍ଧି ହାସଲ କରିଛନ୍ତି ସ୍ପିନର କୁଲଦୀପ ଯାଦବ।ୱେଷ୍ଟଇଣ୍ଡିଜ୍‌ର ଦୁଇଟି ୱିକେଟ୍ ନେବା ସହ କୁଲଦୀପ ଦିନିକିଆ କ୍ରିକେଟରେ ୨୦୦ ୱିକେଟ୍ ପୂରଣ କରିଛନ୍ତି। ଏହି ସଫଳତା ହାସଲ କରିବାରେ କୁଲଦୀପ ନବମ ଭାରତୀୟ ବୋଲର ହୋଇଛନ୍ତି। ମ୍ୟାଚ୍‌ରେ ସେ ଦୁଇଟି ୱିକେଟ୍ ନେଇ ଭାରତକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲେ।ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଏବଂ ଗୁରନୁର ବ୍ରାର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।ପ୍ରସିଦ୍ଧଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।ତେବେ ୱେଷ୍ଟଇଣ୍ଡିଜ୍‌ର ତିନି ବ୍ୟାଟରଙ୍କ ଶତକ ଆଗରେ ଭାରତୀୟ ବୋଲରମାନେ ବଡ଼ ଚାପରେ ପଡ଼ିଥିଲେ।ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆର ପରିସଂଖ୍ୟାନ ଅନୁସାରେ ଭାରତ ବହୁତ ଆଗରେ ରହିଛି। ୨୦୦୬ ପରଠାରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୧୩ଟି ଶୃଙ୍ଖଳା ଜିତିଛି। ପୁଣି ୨୪ ବର୍ଷ ତଳେ ଭାରତରେ ଶୃଙ୍ଖଳା ଜିତିଥିଲା ୱେଷ୍ଟଇଣ୍ଡିଜ୍‌। ରବିବାର ପ୍ରଥମ ଦିନିକିଆରେ ଏକତରଫା ଭାବେ ୱେଷ୍ଟଇଣ୍ଡିଜ୍‌କୁ ଭାରତ ତା’ର ଶକ୍ତି ପ୍ରଦର୍ଶନ କରିଛି। ୫୦ଟି ବଲ୍‌ ବାକିଥାଇ ଭାରତ ୨୯୬ ରନ୍‌ର ପିଛାକରି ଜିତିଥିଲା। ଅଧିନାୟକ ଶୁଭମନ ଗିଲ୍‌ ଓ ବିରାଟ କୋହଲି ସହଜରେ ରନ୍‌ ସ୍କୋର୍‌କରି ଶତକ ହାସଲ କରିଥିଲେ। ୩-ମ୍ୟାଚ୍‌ର ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ। ଏବେ ମ୍ୟାଚ୍‌ର ଫୋକସ୍ ଭାରତୀୟ ବ୍ୟାଟରଙ୍କ ଉପରେ।

Leave a comment