କାହିଁକି ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ୪ ମହଲା ଉପରୁ ଡେଇଁଲେ? ଶିଷ୍ୟ ମୃତ୍ୟୁକୁ ନେଇ କାହିଁକି ଚୁପ୍ ଆଶ୍ରମ? ତାତିଲେଣି ସନ୍ଥ ସମାଜ

କାହିଁକି ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ୪ ମହଲା ଉପରୁ ଡେଇଁଲେ? ଶିଷ୍ୟ ମୃତ୍ୟୁକୁ ନେଇ କାହିଁକି ଚୁପ୍ ଆଶ୍ରମ? ତାତିଲେଣି ସନ୍ଥ ସମାଜ । ଗ୍ରାଇଣ୍ଡରରେ କିଏ କାଟିଲା ଗୁପ୍ତାଙ୍ଗ? ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶ ଜବଲପୁରର ରସିକ ଦୁଲାରୀ ଶରଣ ଓରଫ୍ ଦୀପକ ଲୋଧୀ ନାମକ ଏହି ଶିଷ୍ୟ ଜଣକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଛନ୍ତି ବୋଲି ସୂଚନା ମିଳୁଛି। ମୃତ୍ୟୁ ପୂର୍ବରୁ ଘଟିଥିବା କିଛି ଚମକାଇ ଦେଲା ଭଳି ଘଟଣା ଏବଂ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ସ୍ଥାନୀୟ ସାଧୁସନ୍ଥଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସର ସୂଚନାନୁସାରେ, ଦୀପକ ଦୁଇ ବର୍ଷ ପୂର୍ବରୁ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ଆଶ୍ରମ ନିକଟସ୍ଥ ‘ଗୁରୁକୃପା କୁଞ୍ଜ ଆପାର୍ଟମେଣ୍ଟ’ରେ ରହୁଥିଲେ । ଶୁକ୍ରବାର ସକାଳେ ରକ୍ତଜୁଡୁବୁଡୁ ଅବସ୍ଥାରେ ସେ ନିଜ କୋଠରୀରୁ ବାହାରି ଛାତ ଆଡ଼କୁ ଯାଉଥିବାର ସିସିଟିଭିରେ ଦେଖିବାକୁ ମିଳିଛି ।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଛାତରୁ ଡେଇଁବା ପୂର୍ବରୁ ସେ ନିଜ କୋଠରୀରେ ଏକ ଇଲେକ୍ଟ୍ରିକ୍ ଗ୍ରାଇଣ୍ଡର ମେସିନ୍ ସାହାଯ୍ୟରେ ନିଜ ଗୁପ୍ତାଙ୍ଗକୁ କାଟି କ୍ଷତବିକ୍ଷତ କରିଥିଲେ । ଏହାପରେ ସେ ଚତୁର୍ଥ ମହଲାର ଛାତକୁ ଯାଇ ତଳକୁ ଡେଇଁପଡ଼ିଥିଲେ । ପୋଷ୍ଟମୋର୍ଟମ୍ ରିପୋର୍ଟରେ ଗୁପ୍ତାଙ୍ଗ କଟିଯିବା ଏବଂ ଅତ୍ୟଧିକ ରକ୍ତସ୍ରାବ ହେବା କଥା ସ୍ପଷ୍ଟ ହୋଇଛି । ମଥୁରା ଏସପିଙ୍କ କହିବା ଅନୁଯାୟୀ, ସିସିଟିଭି ଫୁଟେଜ୍‌ରୁ ଛାତରୁ ଡେଇଁ ପଡ଼ି ମୃତ୍ୟୁ ହୋଇଥିବା ବୋଲି ଜଣାପଡ଼ିଛି । ତଥାପି ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣ ଖୋଜିବା ପାଇଁ ପୁଲିସ ଆପାର୍ଟମେଣ୍ଟର ଡିଭିଆର,ରକ୍ତର ନମୁନା ଏବଂ ମୃତକଙ୍କ ମୋବାଇଲ୍ ଫୋନ୍‌କୁ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଇଛି । ମୋବାଇଲରୁ ଡିଲିଟ୍ ହୋଇଥିବା ମେସେଜ୍, ଫଟୋ ଓ କଲ୍ ରେକର୍ଡରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି ।ଏହି ଘଟଣା ପରେ ସାଧୁସନ୍ଥମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । ପରିକ୍ରମା ମାର୍ଗସ୍ଥିତ ଲଲିତ କୁଞ୍ଜ ଆଶ୍ରମରେ ‘ଧର୍ମ ରକ୍ଷା ସଂଘ’ ବ୍ୟାନରରେ ସାଧୁସନ୍ଥଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସନ୍ଥ ମୋହନୀ ଶରଣ ଏବଂ ମହନ୍ତ ଗଙ୍ଗା ଦାସ ମହାରାଜ ଏହି ଘଟଣାରେ କେଲୀ କୁଞ୍ଜ ଆଶ୍ରମର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏହାସହ ସାଧୁ ବେଶରେ ବୁଲୁଥିବା ଅସାମାଜିକ ତତ୍ତ୍ୱମାନଙ୍କ ବିରୋଧରେ କଠୋର ଯାଞ୍ଚ ପାଇଁ ଦାବି ହୋଇଛି । ମହନ୍ତ ଗଙ୍ଗା ଦାସ ଅଭିଯୋଗ କରିଛନ୍ତି ଯେ କେତେକ ଅସାମାଜିକ ବ୍ୟକ୍ତି ଜମି ହଡ଼ପ ଓ ମାଫିଆଗିରିରେ ଲିପ୍ତ ରହି ସନାତନ ସଂସ୍କୃତିକୁ କଳଙ୍କିତ କରୁଛନ୍ତି । ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ସହ ଜଡ଼ିତ ଜଣେ ଶିଷ୍ୟଙ୍କର ଏପରି ମର୍ମନ୍ତୁଦ ଓ ରହସ୍ୟଜନକ ମୃତ୍ୟୁ ପୂରା ବୃନ୍ଦାବନ ଓ ଭକ୍ତମାନଙ୍କୁ ସ୍ତବ୍ଧ କରିଦେଇଛି । ପୁଲିସ ସହଯୋଗୀ ଶିଷ୍ୟମାନଙ୍କୁ ପଚରାଉଚୁରା ଜାରି ରଖିଥିବା ବେଳେ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

Leave a comment