ଜମ୍ମୁରୁ କଠୁଆ ଜିଲ୍ଲାରେ ଥିବା ସିଆଇଏସଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ, 4 ଯବାନ ମୃତ
ଜମ୍ମୁରୁ କଠୁଆ ଜିଲ୍ଲାରେ ଥିବା ସିଆଇଏସଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ସାମିଲ ଅଛନ୍ତି ।
ଏହି ଘଟଣା ବସୋହଲିର ମାଶକା ଅଞ୍ଚଳରେ ଥିବା ସେବା ପାୱାର ପ୍ରୋଜେକ୍ଟର ସିଆଇଏସଏଫ୍ କ୍ୟାମ୍ପରେ ଘଟିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଯବାନମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ଝଗଡ଼ା ହୋଇଥିଲା । ଏହାପରେ ଗୁଳି ଚାଲିଥିଲା । ସିଆଇଏସଏଫ୍ କ୍ୟାମ୍ପରେ ୨୦୦୯ ବ୍ୟାଚର ହେଡ୍ କନଷ୍ଟେବଳ ଅବଦେଶ କୁମାର ତାଙ୍କ ସାଥୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ।
ରିପୋର୍ଟ ଅନୁସାରେ, ଡ୍ୟୁଟି ପରିବର୍ତ୍ତନ ସମୟରେ ଯୁକ୍ତିତର୍କ ହୋଇଥିଲା, ଯାହା ଫଳରେ ଯବାନ ଜଣକ ତାଙ୍କ ସହକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ମୃତ ଯବାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ (କମ୍ପାନି କମାଣ୍ଡର), ସବ-ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ, କନଷ୍ଟେବଳ ସଞ୍ଜୀବ କୁମାର ଏବଂ କନଷ୍ଟେବଳ ମହମ୍ମଦ ରଫିକ ଅଛନ୍ତି । ଘଟଣାଟି ସନ୍ଧ୍ୟା ୭ଟାରେ ଘଟିଥିଲା । ଘଟଣା ପରେ, ଅଭିଯୁକ୍ତ ହେଡ୍ କନଷ୍ଟେବଳଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଘଟଣାର କାରଣ ଜାଣିବା ପାଇଁ ସିଆଇଏସଏଫ୍ ମୁଖ୍ୟାଳୟ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ଏବଂ ସିଆଇଏସଏଫ୍ ଡିଜି ଘଟଣା ଉପରେ ନଜର ରଖିଛନ୍ତି । ସିଆଇଏସଏଫ୍ ମଧ୍ୟ ଏହି ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛି ।