୬ ଦଫା ଦାବି ନେଇ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ,ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ କରାଯାଇଛି

ଓଡ଼ିଶା ବନ୍ଦର ମିଶ୍ର ପ୍ରଭାବ । କେଉଁଠି ବନ୍ଦ ତ କେଉଁଠି ଖୋଲା । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ କର୍ମୀମାନେ କିଛି ସମୟ ପାଇଁ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ ରଖିଥିଲେ । ସେହିପରି ରାସ୍ତା ମଝିରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି । ସୋରରେ କର୍ମୀମାନେ ପିକେଟିଂ କରି ଜାତୀୟ ରାଜପଥରେ ଗାଡ଼ି ଚଲାଚଳ ବନ୍ଦ ରଖିଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।

୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ କରାଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ଦିଆଯାଇଛି ବନ୍ଦ ଡାକରା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପ୍ରକାଶିତ ପାଠ୍ୟପୁସ୍ତକରେ ୧ ହଜାର ୬୭୮ ତ୍ରୁଟି ଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଅଭିଯୋଗ କରିଛି ।

ଏଗୁଡ଼ିକ କେବଳ ଛାପା ଭୁଲ୍ ନୁହେଁ, ଅନେକ ତଥ୍ୟଗତ ତ୍ରୁଟି ମଧ୍ୟ ରହିଥିବା ସଂଗଠନ କହିଛି । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଦେବା ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ । ଏପଟେ ପାଠ୍ୟପୁସ୍ତକରେ ଆବଶ୍ୟକ ସଂଶୋଧନ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଂଶୋଧିତ ପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବାମଦଳ ସମେତ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

Leave a comment