ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ, KBC 18ର ସୁଟିଂରେ ରେ ଲାଗିଲା ବ୍ରେକ୍
ଲୋକପ୍ରିୟ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି ୧୮’ (KBC 18)ର ସୁଟିଂରେ ରେ ଲାଗିଲା ବ୍ରେକ୍ । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଛି । ନୂଆ ଏପିସୋଡ୍ର ସୁଟିଂ ହୋଇପାରୁନଥିବାରୁ ଚ୍ୟାନେଲ ପକ୍ଷରୁ ବର୍ତ୍ତମାନ ପୁରୁଣା ଏପିସୋଡ୍ଗୁଡ଼ିକ ପ୍ରସାରଣ କରାଯାଉଛି ।
ସୂତ୍ର ଅନୁଯାୟୀ, ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ରଣବୀର କପୁର, ସାଇ ପଲ୍ଲବୀ, ରବି ଦୁବେ ଏବଂ ନିତେଶ ତିୱାରୀଙ୍କ ସହିତ ‘ରାମାୟଣ’ ସ୍ୱତନ୍ତ୍ର ଏପିସୋଡ୍ର ସୁଟିଂ କରିଥିଲେ। ଏହା ପରଠାରୁ ସେ କିଛି ଦିନ ପାଇଁ ବିରତି ନେଇଛନ୍ତି। କୁହାଯାଉଛି ଯେ, ଦୀପାବଳି ପରେ ଆସନ୍ତା ସପ୍ତାହରେ ସେ ପୁଣିଥରେ ସୁଟିଂ ଆରମ୍ଭ କରିବେ। ଶୋ’ର ନୂଆ ଏପିସୋଡ୍ଗୁଡ଼ିକ ନଭେମ୍ବର ୧୬ ତାରିଖରୁ ପ୍ରସାରିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଜଣେ ସୂତ୍ର କହିଛନ୍ତି, “ଚିନ୍ତା କରିବା ଭଳି କୌଣସି କଥା ନାହିଁ । ପାଣିପାଗର ପରିବର୍ତ୍ତନ ଯୋଗୁଁ ତାଙ୍କୁ ସାମାନ୍ୟ ଜ୍ୱର କିମ୍ବା ଫ୍ଲୁ ହୋଇଥାଇପାରେ । ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ଟିମ୍ ପକ୍ଷରୁ ତାଙ୍କୁ ବିଶ୍ରାମ ନେବା ଏବଂ ସୁସ୍ଥ ହେବା ପାଇଁ କିଛି ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଗ୍ ବି ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଆଶା କରାଯାଉଛି ଯେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସେ ପୁଣିଥରେ ସୁଟିଂକୁ ଫେରିବେ । ଶୋ’ର ଏପିସୋଡ୍ଗୁଡ଼ିକ ନଭେମ୍ବର ୧୬ ତାରିଖରୁ ପୂର୍ବଭଳି ପ୍ରସାରିତ ହେବ ।” ଉଲ୍ଲେଖଯୋଗ୍ୟ ଯେ, ନିକଟରେ ମୁମ୍ବାଇର ମେୟରଙ୍କୁ ଇମେଲ୍ ମାଧ୍ୟମରେ ଅମିତାଭ ବଚ୍ଚନଙ୍କ ଘରକୁ ଟାର୍ଗେଟ୍ କରିବା ନେଇ ଧମକ ମିଳିଥିଲା । ଟାଇଗର ଶ୍ରଫ୍ଙ୍କ ଘର ଉପରେ ଗୁଳିମାଡ଼ ଘଟଣାର ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଅମିତାଭ ବଚ୍ଚନଙ୍କ ଘର ‘ଜଲସା’ର ରେକି କରିଥିଲେ । ତେବେ ସୂତ୍ର ଅନୁଯାୟୀ, ଅମିତାଭ ବଚ୍ଚନ ସୁଟିଂରୁ ବିରତି ନେବା ପଛରେ ସୁରକ୍ଷା ସମ୍ପର୍କିତ ଚିନ୍ତାର କୌଣସି ସମ୍ପର୍କ ନାହିଁ ।
କିନ୍ତୁ ରବିବାର ଦିନ ଯେତେବେଳେ ବିଗ୍ ବି ନିଜ ଘର ବାହାରକୁ ଆସି ପ୍ରଶଂସକମାନଙ୍କୁ ଭେଟିଥିଲେ, ସେତେବେଳେ ସେ ଏକ କାଚର କାନ୍ଥ ପଛରେ ଠିଆ ହୋଇ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଉଥିବା ଦେଖାଯାଇଥିଲା । କୁହାଯାଉଛି ଯେ, ଏହି କାଚଟି ବୁଲେଟ୍ପ୍ରୁଫ୍ ଥିଲା । ଏହି ସମୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ପାଖରେ ଠିଆ ହୋଇ ତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବା ନଜର ଆସିଥିଲେ । ଅନ୍ୟପଟେ ଅମିତାଭ ନିଜ ପ୍ରଶଂସକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିଲେ ।