କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ରାତି ୧୨ଟା ଯାଏଁ ଫୁଟିଲା ବାଣ

କଟକଣାକୁ ଫୁ’… ରାତି ୧୨ଟା ଯାଏଁ ଶୁଭିଲା ବାଣର ଶବ୍ଦ । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିୟମ ହୋଇଥିଲା, କିନ୍ତୁ ତାହାକୁ ମାନିଲେନି ଅମାନିଆ । ଏହାର ପ୍ରଭାବରେ ବିଗିଡ଼ିଛି ରାଜଧାନୀ ଭୁବନେଶ୍ୱରର ବାୟୁ ଗୁଣବତ୍ତା । କେବଳ ଭୁବନେଶ୍ୱର ନୁହେଁ, ଟ୍ୱିନ୍‌ ସିଟି ସମେତ ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ଯାଏଁ ବାଣ ଫୁଟାଯାଇଥିବାରୁ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ିଛି ।ନିୟମ ଅନୁସାରେ, ରବିବାର ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା । ଅର୍ଥାତ୍‌ ମାତ୍ର ଦୁଇ ଘଣ୍ଟା ପାଇଁ ଥିଲା ବାଣ ଫୁଟାଇବାର ଅନୁମତି । ହେଲେ ଏହି କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ରାତି ୧୨ଟା ଯାଏଁ ବାଣ ଫୁଟାଇଥିଲେ ଅନେକ ଲୋକ । ଫଳରେ ବାଣରୁ ନିର୍ଗତ ଧୂଆଁ ଓ ଧୂଳିକଣାରେ ଭରିଯାଇଥିଲା ପରିବେଶ ।

ସକାଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । ରାସ୍ତାଘାଟରେ କୁହୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୃଶ୍ୟମାନତା ମଧ୍ୟ ପ୍ରଭାବିତ ହୋଇଥିଲା । ଏହାର ପ୍ରଭାବରେ ଯାନବାହନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ବାଣ ଫୁଟାଇବାର ଆନନ୍ଦ ଭିତରେ ବାୟୁ ପ୍ରଦୂଷଣର ଏହି ସ୍ଥିତି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଚିନ୍ତା ବଢ଼ାଇଛି ।

ପ୍ରତିବର୍ଷ ଦୀପାବଳି ପୂର୍ବରୁ ସରକାରଙ୍କ ପକ୍ଷରୁ ବାଣ ଫୁଟାଇବା ନେଇ କଟକଣା ଜାରି କରାଯାଉଛି । ତଥାପି ଏହାର ଉଲ୍ଲଂଘନ କାହିଁକି ହେଉଛି ? ନିୟମ ଥିବା ସତ୍ତ୍ୱେ ତାହାର ଅନୁପାଳନ କରାଯାଉନାହିଁ କାହିଁକି ? ପରିବେଶ ସୁରକ୍ଷା ପ୍ରତି ଜନସାଧାରଣ କେବେ ସଚେତନ ହେବେ ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ।

Leave a comment