୨୧ ତାରିଖ ଠାରୁ ଆରମ୍ଭ ହେବ ପବିତ୍ର ପଞ୍ଚୁକ ବ୍ରତ,ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର
ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ମାସର ଅନ୍ତିମ ତଥା ଅତ୍ୟନ୍ତ ପୁଣ୍ୟପ୍ରଦ ପଞ୍ଚୁକ ବ୍ରତ। ଆସନ୍ତା ୨୧ ତାରିଖ ଶନିବାରଠାରୁ ଆରମ୍ଭ ହେବ ଏହି ପବିତ୍ର ପାଞ୍ଚଦିନିଆ ବ୍ରତ। ଏହି ପାଞ୍ଚଦିନ ଧରି ମହାପ୍ରଭୁଙ୍କର ବିଭିନ୍ନ ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ତେଣୁ ପଞ୍ଚୁକକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର।
ପଞ୍ଚୁକ ସମୟରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଥିବାରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଏବେଠାରୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଗଲାଣି ବ୍ୟାରିକେଡ୍ ନିର୍ମାଣ। ଭିଡ଼ ନିୟନ୍ତ୍ରଣ ସହ ଭକ୍ତମାନେ ଯେପରି ସୁରୁଖୁରୁରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଉଛି। ମିଳିଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ।ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ୨୧ ତାରିଖରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ପବିତ୍ର ହରିଉତ୍ଥାପନ ଏକାଦଶୀ ନୀତି। ଏହି ଦିନଠାରୁ ଶ୍ରୀଜିଉଙ୍କ ବିଶେଷ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିବ। ପଞ୍ଚୁକର ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି।
ସେହିପରି ୨୪ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଅତି ମନୋରମ ତଥା ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହେବ। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ରତ୍ନସିଂହାସନରେ ବିରାଜମାନ କରିବେ ଦାରୁବ୍ରହ୍ମ। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିବେ। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ବ୍ୟାରିକେଡ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ କରାଇବାକୁ ପ୍ରସ୍ତୁତି ଚାଲିଛି।
ତେବେ ଆସ୍ଥା, ଭକ୍ତି ଓ ପରମ୍ପରାର ଏହି ପବିତ୍ର ପର୍ବକୁ ନେଇ ଶ୍ରୀକ୍ଷେତ୍ରରେ ଏବେଠାରୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଲାଣି। ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷା ରହିଥିବାବେଳେ, ସେମାନଙ୍କ ଦର୍ଶନ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବା ଏବେ ପ୍ରଶାସନ ପାଇଁ ମୁଖ୍ୟ ଆହ୍ୱାନ।