ଗାଡ଼ି ନୁହେଁ, ଗଳିକନ୍ଦିରେ ଚାଲି ଚାଲି ଅପରେସନ୍ କରିବ ପୋଲିସ,ବସ୍ତିରୁ ଖଟି ସବୁଠି ଚାଲିବ ସର୍ଚ୍ଚ ଅପରେସନ୍

ରାଜଧାନୀରେ ଅପରାଧୀଙ୍କୁ ଆଉ ମିଳିବନି ଖସିବାର ବାଟ ।  ଗୁଳିକାଣ୍ଡ, ହତ୍ୟା ଓ ନିଶା କାରବାରକୁ ନେଇ ଆକ୍ସନ୍ ମୋଡ୍‌ରେ କମିଶନରେଟ୍ ପୋଲିସ । ଅପରାଧୀଙ୍କ ଗଡ଼ରେ ପଶିବ ଖାକି । ଗାଡ଼ି ନୁହେଁ, ଗଳିକନ୍ଦିରେ ଚାଲି ଚାଲି ଅପରେସନ୍ କରିବ ପୋଲିସ । ବସ୍ତିରୁ ବସ୍ତି, ଖଟିରୁ ଖଟି ସବୁଠି ଚାଲିବ ସର୍ଚ୍ଚ ଅପରେସନ୍ । ବସ୍ତି ମିତ୍ରଙ୍କୁ ସ୍ପେଶାଲ ଟାସ୍କ । ସେପଟେ ଧଉଳି ମର୍ଡରରେ ବନ୍ଧୁକ ଚୋରା କାରବାରର ଚେର ଖୋଜୁଛି ପୋଲିସ ।

ଅପରାଧର ରାଜଧାନୀରେ ଅପରାଧୀଙ୍କୁ ଚେକ୍ ଦେବାକୁ ଖାକିର ନୂଆ ରଣନୀତି । ଗତ ୫ ତାରିଖ ରାତିରେ ଧଉଳିରେ ଭୋଜି ଆସର ଭିତରେ ଫୁଟିଥିଲା ଗୁଳି । ବନ୍ଧୁକ ଅନ୍‌ବକ୍ସିଂ ବେଳେ ଚାଲିଯାଇଥିଲା ତପୁ ନାୟକଙ୍କ ଜୀବନ । ଘଟଣାରେ ୮ ଜଣଙ୍କୁ ବାନ୍ଧିଥିଲା ପୋଲିସ ।

ଏବେ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ର ଓ ଉମେଶ ପଟ୍ଟନାୟକଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଚାଲିଛି ଜେରା । ବନ୍ଧୁକ କାହାଠାରୁ ଆସିଥିଲା, କିଏ କରିଥିଲା ଡିଲ୍, କେଉଁ ରାସ୍ତାରେ ଚାଲିଥିଲା ଚୋରା ଚାଲାଣ, ଏସବୁର ଖୋଳତାଡ଼ କରୁଛି ପୋଲିସ ।  ଲକ୍ଷ୍ମୀସାଗର ଗୁଳିକାଣ୍ଡରେ ମଧ୍ୟ ବନ୍ଧୁକ ଜବତ ହେବା ପରେ ଏବେ ପୋଲିସର ଫୋକସ୍‌ରେ ଆର୍ମସ୍ ସିଣ୍ଡିକେଟ୍ ।

କେବଳ ଅପରାଧ ଘଟିବା ପରେ ନୁହେଁ, ଅପରାଧ ଘଟିବା ପୂର୍ବରୁ ହିଁ ଅପରାଧୀଙ୍କୁ ଧରିବାକୁ ଚାଲିଛି ବ୍ଲୁ ପ୍ରିଣ୍ଟ । ସହରର ଗଳିକନ୍ଦିରେ ଏଣିକି ଚାଲିବ ଖାକିର ପଇଁତରା । ବସ୍ତି ଓ ସମ୍ବେଦନଶୀଳ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂକୁ କରାଯାଇଛି ଜୋରଦାର । ନିଶା ବେପାରୀଙ୍କ ଆଡ୍ଡା ଉପରେ ସ୍ପେଶାଲ ସର୍ଭେଲାନ୍ସ । ଖଟିରେ ଜମୁଥିବା ଅସାମାଜିକଙ୍କ ଭିଡ଼ ଉପରେ ପୋଲିସର ତୀକ୍ଷ୍ଣ ନଜର । ଏପରିକି ବସ୍ତି ଭିତରେ ଅପରାଧ ରୋକିବାକୁ ବସ୍ତି ମିତ୍ରଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଦାୟିତ୍ୱ । ରାତି ତମାମ ପାଟ୍ରୋଲିଂ ସହ ଥାନାୱାରୀ ଚାଲିଛି ଚଢ଼ାଉ । ଅପରାଧୀଙ୍କ ନେଟୱର୍କକୁ ଭାଙ୍ଗିବା ଏବେ ପୋଲିସର ଟାର୍ଗେଟ୍ ।

ତେବେ ରାଜଧାନୀରେ ଅପରାଧୀଙ୍କ ଉପରେ ପୋଲିସର ଏହି ଡବଲ୍ ଆଟାକ୍ କେତେ ସଫଳ ହେଉଛି, ତାହା ଆଗକୁ ଜଣାପଡ଼ିବ । ଅନେକ ପ୍ରମୁଖ ମାମଲାରେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଲକ୍ଷ୍ମୀସାଗର ଘର ମାଲିକାଣୀ ହତ୍ୟା ମାମଲାରେ ଫେରାର କେୟାରଟେକର ଏବେ ବି ପୋଲିସ ପାଇଁ ଚ୍ୟାଲେଞ୍ଜ । ଅପରାଧୀଙ୍କୁ ଧରିବା ସହ ଅପରାଧର ଚେର ଉପାଡ଼ିବାକୁ ଏବେ କମିଶନରେଟ୍ ପୋଲିସର ଅପରେସନ୍

Leave a comment