ସରିଲା ମା’ ଦକ୍ଷିଣକାଳୀଙ୍କ ଭସାଣୀ ଉତ୍ସବ,ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କୁ ମେଲାଣି ଜଣାଇଛନ୍ତି

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଶକ୍ତିପୀଠ ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ଭସାଣୀ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ସାକ୍ଷୀଗୋପାଳରୁ ବାହାରି ନିର୍ଦ୍ଧାରିତ ବିସର୍ଜନ ସ୍ଥଳୀ ଚନ୍ଦନପୁର ପର୍ଯ୍ୟନ୍ତ ଯାଇଥିବା ଏହି ଭବ୍ୟ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କୁ ମେଲାଣି ଜଣାଇଛନ୍ତି ।

ମା’ଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ଘଣ୍ଟ, ଶଙ୍ଖ, ଢୋଲ, ମୃଦଙ୍ଗ ଓ ହରିବୋଲ-ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ପାରମ୍ପରିକ ଲଉଡ଼ି ଖେଳ, ଘୋଡ଼ାନାଚ ଓ ସାଂସ୍କୃତିକ ଦଳଗୁଡ଼ିକ ଶୋଭାଯାତ୍ରାର ଆଗରେ ଚାଲି ଭସାଣୀ ପରିବେଶକୁ ଉତ୍ସବମୁଖର କରିଥିଲେ । ସାକ୍ଷୀଗୋପାଳରୁ ଚନ୍ଦନପୁର ଅଭିମୁଖେ ଯାଇଥିବା ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ମା’ଙ୍କ ଶେଷ ଦର୍ଶନ ପାଇଁ ଭକ୍ତମାନଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

ଶ୍ରଦ୍ଧାଳୁମାନେ ଧୂପ, ଦୀପ ଓ ନୈବେଦ୍ୟ ସହ ନିଜ ନିଜ ଘର ଆଗରେ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିର୍ଦ୍ଧାରିତ ସ୍ଥାନ ଚନ୍ଦନପୁରରେ ପହଞ୍ଚିବା ପରେ ସେବାୟତ ଓ ପୂଜକମାନଙ୍କ ଦ୍ୱାରା ମା’ଙ୍କର ଶେଷ ବିଧିବିଧାନ ଓ ମନ୍ତ୍ରୋଚ୍ଚାରଣ ସମ୍ପନ୍ନ କରାଯାଇଥିଲା ।

ଏହାପରେ ଶ୍ରଦ୍ଧାଳୁଙ୍କ ଜୟକାର ଧ୍ୱନି ମଧ୍ୟରେ ମା’ଙ୍କ ପ୍ରତିମାକୁ ଭକ୍ତିଭାବର ସହ ବିସର୍ଜନ କରାଯାଇଥିଲା । ଶୋଭାଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଏବଂ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସଂଲଗ୍ନ ରାସ୍ତାରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a comment