ଆପଣଙ୍କ ପୁରୁଣା ଆଣ୍ଡ୍ରଏଡ୍ ଫୋନ୍‌କୁ ହିଁ ବନାଇପାରିବେ ଡ୍ୟାସକ୍ୟାମ୍,ଆସନ୍ତୁ ଏହାର ପ୍ରସ୍ତୁତି ବିଷୟରେ ଜାଣିବା

ଆଜିକାଲି ଦିନକୁ ଦିନ ରାସ୍ତାରେ ଟ୍ରାଫିକ୍ ଏବଂ ରୋଡ୍ ରେଜ୍ ଘଟଣା ବଢ଼ିବାରେ ଲାଗିଛି । ଛୋଟ ଦୁର୍ଘଟଣା ହେଉ କିମ୍ବା ରାସ୍ତା ମଝିରେ ବଚସା, ଅନେକ ସମୟରେ ସତ ପ୍ରମାଣ କରିବା କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାସକ୍ୟାମ୍ ଲଗାଇବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଯାହା ଆପଣଙ୍କ ପାଇଁ ଏକ ବଡ଼ ସହାୟକ ହୋଇପାରେ । କିନ୍ତୁ ଭଲ ଡ୍ୟାସକ୍ୟାମ୍ କିଣିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ତେବେ ଆଉ ଚିନ୍ତା ନାହିଁ । ଘରେ ପଡ଼ିଥିବା ଆପଣଙ୍କ ପୁରୁଣା ଆଣ୍ଡ୍ରଏଡ୍ ଫୋନ୍‌କୁ ହିଁ ବନାଇପାରିବେ ଡ୍ୟାସକ୍ୟାମ୍ । ତେବେ ଆସନ୍ତୁ ଏହାର ପ୍ରସ୍ତୁତି ବିଷୟରେ ଜାଣିବା ।

ପ୍ରଥମେ ଆପଣଙ୍କ ପୁରୁଣା ସ୍ମାର୍ଟଫୋନ୍‌କୁ ଡ୍ୟାସକ୍ୟାମ୍ ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରନ୍ତୁ । ଫୋନ୍‌ରେ ଥିବା ଜରୁରୀ ଫଟୋ, ଭିଡିଓ ଏବଂ ଡାଟାର ବ୍ୟାକଅପ୍ ନିଅନ୍ତୁ । ଏହାପରେ ଅନନେସେସାରୀ ଆପ୍ ଏବଂ ଫାଇଲକୁ ହଟାଇ ଷ୍ଟୋରେଜ୍ ଖାଲି କରନ୍ତୁ । ଫୋନ୍‌କୁ ଡୁ ନଟ୍ ଡିଷ୍ଟର୍ବ ମୋଡ୍‌ରେ ରଖନ୍ତୁ, ଯାହାଦ୍ୱାରା କଲ୍ କିମ୍ବା ନୋଟିଫିକେସନ୍ ରେକର୍ଡିଂରେ ବାଧା ସୃଷ୍ଟି କରିବ ନାହିଁ । ଏବେ Google Play Storeରୁ ଏକ ଡ୍ୟାସକ୍ୟାମ୍ ଆପ୍ ଡାଉନଲୋଡ୍ କରନ୍ତୁ । Droid Dashcam ଏଥିପାଇଁ ଏକ ଅପ୍ସନ ହୋଇପାରେ। ଆପ୍‌କୁ ଆବଶ୍ୟକ କ୍ୟାମେରା, ମାଇକ୍ରୋଫୋନ୍, ଲୋକେସନ୍ ଏବଂ ଷ୍ଟୋରେଜ୍ ପରମିସନ୍ ଦିଅନ୍ତୁ । ଏହାପରେ ଭିଡିଓ କ୍ୱାଲିଟି ୧୦୮୦pରେ ସେଟ୍ କରନ୍ତୁ । ଲୁପ୍ ରେକର୍ଡିଂ ଫିଚର୍ସ ଅନ୍ କରି ଭିଡିଓ ସମୟକୁ ୫ ମିନିଟ୍ ରଖନ୍ତୁ। ଏହାଦ୍ୱାରା ଷ୍ଟୋରେଜ୍ ଫୁଲ ହେଲେ ପୁରୁଣା ଭିଡିଓ ଉପରେ ନୂଆ ଭିଡିଓ ରେକର୍ଡ ହୋଇପାରିବ । ତେବେ ଜରୁରୀ ଫୁଟେଜ୍ ଡିଲିଟ୍ ନହେବା ପାଇଁ ସେଗୁଡ଼ିକୁ ଅଲଗା ଭାବେ ସେଭ୍ କରି ରଖନ୍ତୁ ।

ଡ୍ୟାସକ୍ୟାମ୍ ଆପ୍‌ରେ ଡେଟ, ଟାଇମ ଏବଂ GPS ଲୋକେସନ୍ ଭଳି ଫିଚର୍ ମଧ୍ୟ ଅନ୍ କରିପାରିବେ । ଯଦି ଆପ୍‌ରେ G-Shock କିମ୍ବା ଏହା ସମାନ ମୋସନ୍ ସେନ୍ସର୍ ସୁବିଧା ରହିଛି, ତେବେ ତାହାକୁ ମଧ୍ୟ ଅନ କରନ୍ତୁ । ଫଳରେ ହଠାତ୍ ଧକ୍କା ହେଲେ ଗୁରୁତ୍ୱପୂର୍ଣ୍ଣ ଭିଡିଓ ଫୁଟେଜ୍ ଲକ୍ ହୋଇପାରିବ । ଏବେ ଫୋନ୍‌କୁ କାର୍‌ର ୱିଣ୍ଡସିଲ୍ଡରେ ରିୟର୍ ଭ୍ୟୁ ମିରର୍ ପାଖରେ ଏକ ଷ୍ଟ୍ରଙ୍ଗ ମୋବାଇଲ୍ ମାଉଣ୍ଟ ସାହାଯ୍ୟରେ ଲଗାନ୍ତୁ । କ୍ୟାମେରା ଯେପରି ସାମ୍ନା ରାସ୍ତାକୁ ସ୍ପଷ୍ଟ ଭାବେ କଭର୍ କରିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଲଗାତାର ରେକର୍ଡିଂ ଯୋଗୁଁ ବ୍ୟାଟେରୀ ଶୀଘ୍ର ସରିପାରେ । ତେଣୁ କାର୍ ଚାର୍ଜର୍ ସହ ଫୋନ୍‌କୁ କନେକ୍ଟ କରନ୍ତୁ ଏବଂ ଚାର୍ଜିଂ କେବୁଲ୍‌କୁ ଏପରି ରଖନ୍ତୁ ଯେପରି ଡ୍ରାଇଭିଂରେ କୌଣସି ବାଧା ନହୁଏ । ତେବେ ଏହିଭଳି ଏକ ପୁରୁଣା ସ୍ମାର୍ଟଫୋନ୍‌କୁ ଆପଣ ସହଜରେ ଡ୍ୟାସକ୍ୟାମ୍ ଭାବେ ବ୍ୟବହାର କରିପାରିବେ । କିନ୍ତୁ ମନେ ରଖନ୍ତୁ, ଏହା ଏକ ପ୍ରକୃତ ଡ୍ୟାସକ୍ୟାମ୍‌ର ସମ୍ପୂର୍ଣ୍ଣ ବିକଳ୍ପ ନୁହେଁ । ଫୋନ୍‌ର ଅତ୍ୟଧିକ ଗରମ ହେବା, ବ୍ୟାଟେରୀ ଏବଂ ଷ୍ଟୋରେଜ୍ ଉପରେ ନଜର ରଖନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଗାଡ଼ି ଚଳାଇବା ସମୟରେ ଫୋନ୍‌କୁ ହାତରେ ଧରନ୍ତୁ ନାହିଁ । ସୁରକ୍ଷିତ ଡ୍ରାଇଭିଂ କରନ୍ତୁ, ସତର୍କ ରୁହନ୍ତୁ ।

Leave a comment