IND vs NZ 3rd ODI : ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା, ଟିମରୁ ଦୁଇ ବୋଲର ପଡ଼ିଲେ ବାଦ୍

ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟକା । ଭାରତ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ୍ ମଧ୍ୟରେ ଦଳର ଦ୍ରୁତ ବୋଲିଂ ବିଭାଗ ଦୁର୍ବଳ ହେବାରେ ଲାଗିଛି । ଆହତ ସମସ୍ୟା ଯୋଗୁଁ ଲକି ଫର୍ଗୁସନ୍ ଶେଷ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ସେହିପରି ବ୍ଲେୟାର ଟିକନରଙ୍କୁ ୭ ଦିନର ଷ୍ଟାଣ୍ଡ-ଡାଉନ୍ ପିରିୟଡରେ ରହିବାକୁ ପଡ଼ିବ । ଦ୍ୱିତୀୟ ଦିନିକିଆ ମ୍ୟାଚରେ ତାଙ୍କ ହେଲମେଟରେ ବଲ୍ ବାଜିଥିଲା । ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ ସୂଚନା ମିଳିଛି ।

ଲକି ଫର୍ଗୁସନ୍ ତାଙ୍କ କାଫ୍ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି । ଟି-୨୦ ସିରିଜ୍ ସମୟରେ ଏହି ଆଘାତ ହୋଇଥିଲେ । ଅନ୍ୟପକ୍ଷରେ ବ୍ଲେୟାର ଟିକନରଙ୍କୁ ଖେଳିବା ପାଇଁ ଫିଟ୍ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପଡ଼ିବ । ଦ୍ୱିତୀୟ ମ୍ୟାଚରେ ତାଙ୍କ ସ୍ଥାନରେ ମ୍ୟାଟ୍ ଫିସର ଖେଳିଥିଲେ । ନିୟମ ଅନୁସାରେ, ମ୍ୟାଚ୍ ଦିନଠାରୁ ୭ ଦିନର ଷ୍ଟାଣ୍ଡ-ଡାଉନ୍ ପିରିୟଡ୍ ପୂରଣ କରିବାକୁ ହେବ । ତେଣୁ ଟିକନର ଭାରତ ବିପକ୍ଷ ତୃତୀୟ ଓ ଚତୁର୍ଥ ଦିନିକିଆରୁ ବାଦ୍ ପଡ଼ିବେ ।

ବୋଲିଂ ଅଲରାଉଣ୍ଡର କ୍ରିଷ୍ଟିଆନ୍ କ୍ଲାର୍କଙ୍କୁ ଶେଷ ଦୁଇଟି ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳରେ ସାମିଲ କରାଯାଇଥିଲା । ଏବେ ଟିକନରଙ୍କ ବଦଳରେ ତୃତୀୟ ମ୍ୟାଚ୍ ପାଇଁ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିଛି । ସିରିଜ୍ ଆରମ୍ଭ ପୂର୍ବରୁ ଡେଭନ୍ କନୱେଙ୍କ ସହ ଧକ୍କା ହେବାରୁ ମ୍ୟାଟ୍ ହେନରୀ ଆହତ ହୋଇଥିଲେ । ତେବେ ନଭେମ୍ବର ୧୩ରେ ଖେଳାଯିବାକୁ ଥିବା ଚତୁର୍ଥ ଦିନିକିଆରେ ସେ ଦଳକୁ ଫେରିବା ନେଇ ଆଶା କରାଯାଉଛି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ନଭେମ୍ବର ୧୦ ତାରିଖରେ ହାମିଲଟନର ସେଡନ୍ ପାର୍କରେ ଖେଳାଯିବ । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ଏବଂ ଦ୍ୱିତୀୟ ମ୍ୟାଚରେ DLS ପଦ୍ଧତିରେ ୪ ରନରେ ବିଜୟୀ ହୋଇଥିଲା ।

Leave a comment