ଆସୁଛି ଆଉ ଏକ ଲଘୁଚାପ , ୧୧ରେ ଘୂର୍ଣ୍ଣିବଳୟ, ୧୩ରେ ବଙ୍ଗୋପସାଗର ଲୋପ୍ରେସର ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ । ୧୧ରେ ଘୂର୍ଣ୍ଣିବଳୟ, ୧୩ରେ ବଙ୍ଗୋପସାଗର ଲୋପ୍ରେସର ସମ୍ଭାବନା । ୧୫ ଆଡ଼କୁ ନେଇପାରେ ଅବପାତରେ ରୂପ । ୧୬ ତାରିଖରୁ ଦକ୍ଷିଣ ଭାରତରେ ବଢ଼ିପାରେ ବର୍ଷା । ଲଘୁଚାପ ନେଇ ପୂର୍ବାନୁମାନ ମଧ୍ୟ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ତେବେ ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।

ଅର୍ଣ୍ଣବ, ମୁରାସୁ ଭୟ ଛାଡ଼ିନି। ପୁଣି ଛନକା ବଢ଼ାଇଲାଣି ଲଘୁଚାପ। ୧୩ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲୋ ପ୍ରେସର । ୧୧ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର ପାର୍ଶ୍ବ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ କ୍ଷେତ୍ର । ଏହାର ପ୍ରଭାବରେ ସଂପୃକ୍ତ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇପାରେ ।

ନଭେମ୍ବର ୧୫ ଆଡ଼କୁ ଏହା ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ତାରିଖରୁ ଦକ୍ଷିଣ ଭାରତରେ ବଢ଼ିପାରେ ବର୍ଷା । ବିଶେଷକରି ତାମିଲନାଡୁ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ଉପରେ ନଜର ରହିବ । କିନ୍ତୁ କେଉଁ ରାଜ୍ୟରେ କେତେ ବର୍ଷା ହେବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଉପରେ ନିର୍ଭର କରିବ ।

Leave a comment