ନଭେମ୍ବର ୯ ତାରିଖରୁ କ୍ୟାନସର ଔଷଧର ସଂଶୋଧିତ ଅଧିକତମ ଖୁଚୁରା ମୁଲ୍ୟ ଲାଗୁ ହେବ
ଭାରତରେ କର୍କଟ ରୋଗୀ ଓ ସେମାନଙ୍କ ପରିବାରଙ୍କ ଲାଗି ଭଲ ଖବର। ନଭେମ୍ବର ୯ ତାରିଖରୁ ଦେଶରେ ଗୁରୁତ୍ୱପୂର୍ଣ୍ଣ କ୍ୟାନସର ରୋଧୀ ଔଷଧର ସଂଶୋଧିତ ଅଧିକତମ ଖୁଚୁରା ମୁଲ୍ୟ ଲାଗୁ ହେବ। ଫଳରେ ବାର୍ଷିକ ୩,୫୦୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହେବ ବୋଲି ଅନୁମାନ କରାଯାଉଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ୧୩୭ଟି କର୍କଟ ରୋଗ ପ୍ରତିରୋଧୀ ଔଷଧର ବ୍ୟବସାୟ ମାର୍ଜିନକୁ ସୀମିତ କରିବାର ନିଷ୍ପତ୍ତି ନେବା ପରେ ଏହି ଆଶ୍ୱସ୍ତି ମିଳିଛି।
ରସାୟନ ଓ ସାର ମନ୍ତ୍ରାଳୟ ପୁଷ୍ଟି କରିଛି ଯେ ଏହି ମୂଲ୍ୟ ସଂଶୋଧନର ଉଦ୍ଦେଶ୍ୟ ଅତ୍ୟାବଶକୀୟ ଅନକୋଲୋଜି ଚିକିତ୍ସା ବ୍ୟୟ ହ୍ରାସ କରି ସିଧା ପରିବାରଙ୍କୁ ଲାଭ ଦେବା। ଏନପିପିଏର ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଅଧିନସ୍ତ ଏକ ବିଶେଷଜ୍ଞ କମିଟିର ସୁପାରିଶ ଉପରେ ଆଧାରିତ। ଏ ପର୍ଯ୍ୟନ୍ତ ୭୬ ଔଷଧ ନିର୍ମାତା ୧,୨୨୫ କ୍ୟାନସର ରୋଧି ଫର୍ମୂଲେସନ ଲାଗି ନୂଆ ମୂଲ୍ୟ ସଂରଚନା ଦାଖଲ କରିଛନ୍ତି। ଏହାଦ୍ୱାରା ୧,୦୩୧ ପ୍ରକାର ଫର୍ମୂଲେସନର ମୂଲ୍ୟ ହ୍ରାସ ହେବ। ଏଥିରେ ବିଭିନ୍ନ ବ୍ରାଣ୍ଡର ୬୦୦ ଔଷଧ ଦର ୫୦% ପର୍ଯ୍ୟନ୍ତ ହ୍ରାସ ହେଉଥିବା ବେଳେ କିଛି ଔଷଧର ମୂଲ୍ୟ ୯୫.୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ।
ଦେଶରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବା ପାଇଁ ଏହି ସରକାରୀ ପଦକ୍ଷେପ ରଣନୀତିର ଏକ ଅଂଶ। ତେବେ ଭାରତରେ ଏବେ ଉପଲବ୍ଧ ନଥିବା ଔଷଧ ବଜାରକୁ ପହଞ୍ଚିବା ପରେ ସୀମିତ ମାର୍ଜିନ ମଧ୍ୟରେ ରହିବେ। ରୋଗୀ ଓ ସେମାନଙ୍କ ପରିବାର ଫାର୍ମା କମ୍ପାନୀ ସହିତ ମୋବାଇଲ ଆପ ଓ ସରକାରୀ ଏନପିପିଏ ପୋର୍ଟାଲ କୁ ଯାଇ ଔଷଧର ନୂତନ ମୂଲ୍ୟ ଯାଞ୍ଚ କରିପାରିବେ। ରାଜ୍ୟମାନଙ୍କରେ ଔଷଧ ନିୟନ୍ତ୍ରକମାନେ ଏହି ନୂତନ ମୂଲ୍ୟର ସଠିକ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନିର୍ମାତା, ଖୁଚୁରା ବିକ୍ରେତା ଓ ହସ୍ପିଟାଲମାନଙ୍କ ଉପରେ ନଜର ରଖିବେ।