ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା, ୧୭ ମୃତ
ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା । ଯିଏ ଯୁଆଡେ ପାରିଲେ ଧାଇଁଲେ । ଜୀବନ ରକ୍ଷା ପାଇଁ ଏଣେତେଣେ ଦୌଡିଲେ । ତଥାପି ପ୍ରାଣ ହରାଇଥିଲେ ୧୭ ଜଣ ବ୍ୟକ୍ତି । ଶନିବାର ରାତିରେ କିଛି ଏମିତି ଘଟଣା ଦକ୍ଷିଣ ଆଫ୍ରିକାକୁ ଦୋହଲାଇ ଦେଇଛି ।
ଦକ୍ଷିଣ ଆଫ୍ରିକା ପୋଲିସ ସେବା ଅନୁସାରେ, ଶନିବାର ରାତି ୯ଟା ୩୦ରେ ଦେଶର ଗୌତେଙ୍ଗ ପ୍ରାନ୍ତରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଗୌତେଙ୍ଗର ବେଡେଲା ଟାଉନସିପରେ ଏକ ବାରରେ ଏପରି ଅଘଟଣ ଘଟିଛି । ଆକ୍ରମଣକାରୀଙ୍କ ପାଖରେ ଏକେ-୪୭ ରାଇଫଲ୍ ଥିଲା । ଏହାସହ କିଛି ଜଣ ପିସ୍ତଲରୁ ମଧ୍ୟ ଫାୟାରିଂ କରୁଥିଲେ ।
ସୂଚନା ପାଇ ପୋଲିସ ତୁରନ୍ତ ଏମରଜେନ୍ସି ମେଡିକାଲ୍ ଟିମ୍ ସହ ଘଟଣାସ୍ଥଳରେ ପହଁଚିଥିଲା । ମେଡିକାଲ ଟିମ୍ ସେଠାରୁ ୧୭ଟି ମୃତଦେହ ଉଦ୍ଧାର କରିଥିଲା । ଏମାନଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଥିବା ବେଳେ ୪ ଜଣ ହେଉଛନ୍ତି ମହିଳା । ଅନ୍ୟ ଦିଗରେ ଗୁଳିମାଡରେ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
ପୋଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି । କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ପୋଲିସ ତଦନ୍ତ ଆରମ୍ଭ କରିଛି । ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସ୍କେଚ୍ ଜାରି କରିବାକୁ ସୁରକ୍ଷାବାହିନୀ କସରତ ଚଳାଇଛନ୍ତି ।