ପଶ୍ଚିମବଙ୍ଗ ବିଜେପି ପ୍ରଦେଶ ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମରାଙ୍କ ଲାଗି ପଦ୍ମଭୂଷଣ ପୁରସ୍କାର ଦାବି କରିଥିଲେ। ଶମିକ ଭଟ୍ଟାଚାର୍ଯ୍ୟଙ୍କ କହିବା କଥା ହେଉଛି ଭୋଟର ଲିଷ୍ଟ ଠିକ୍ କରିବା ଲାଗି ସିଇସିଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯିବା ଦରକାର। ବେଙ୍ଗଲ ବିଜେପି ସଭାପତିଙ୍କ ଏପରି ଦାବିକୁ କଂଗ୍ରେସ ହାସ୍ୟସ୍ପଦ କହିଛି। କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ ପଦ୍ମ ଭୂଷଣ ବହୁତ ଛୋଟ କଥା ତାଙ୍କୁ ପ୍ରଧାନମନ୍ତ୍ରୀ କରିଦିଅ।
ଖେଡ଼ା କହିଛନ୍ତିଯେ ଯେଉଁ ବ୍ୟକ୍ତି ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପାରନ୍ତି, ତାଙ୍କୁ ହିଁ ପ୍ରଧାନମନ୍ତ୍ରୀ କରି ଦିଅ। ଜ୍ଞାନେଶ ବାବୁ ପ୍ରଧାନମନ୍ତ୍ରୀ ହେବା କଥା। ନିକଟରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ଇଂରାଜୀ ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ଆଉ ଦୁଇ ଜଣ ନିର୍ବାଚନ କମିଶନର (ଇସି)ଙ୍କ ଆପତ୍ତି ସତ୍ତ୍ୱେ ଅନେକ ମାମଲାରେ ନିର୍ବାଚନ ଆୟୋଗ ଏକାକୀ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଏସଆଇଆରରେ ଭୋଟର ଲିଷ୍ଟରୁ ମତଦାତାଙ୍କ ନାମ କାଟିବା ପ୍ରସଙ୍ଗ ମଧ୍ୟ ଥିଲା।
ଏହି ରିପୋର୍ଟ ସାମ୍ନାକୁ ଆସିବା ପରଠାରୁ ସାରା ଦେଶରେ ବିରୋଧୀ ଦଳ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ଏହି ରିପୋର୍ଟ ଉପରେ ନିର୍ବାଚନ ଆୟୋଗ ମଧ୍ୟ ନିଜର କଥା ରଖିଛନ୍ତି ଓ କହିଛନ୍ତି ଯେ ସେହି ସବୁ ଆପତ୍ତିକୁ ପରାମର୍ଶ କୁହାଯାଇପାରେ।
ଶମିକ ଭଟ୍ଟାଚାର୍ଯ୍ୟ କରିଥିଲେ ‘ପଦ୍ମ ଭୂଷଣ’ଦାବି
ପଶ୍ଚିମବଙ୍ଗ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ଉତ୍ତର ୨୪ ପ୍ରଗଣା ପାନିହାଟୀରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ସିଇସିଙ୍କ ତାରିଫ କରିଥିଲେ। ବିଜେପି ରାଜ୍ୟସଭାପତି କହିଥିଲେ ଅନୁନ୍ୟ ଜ୍ଞାନେଶ କୁମାରଙ୍କୁ ପଦ୍ମଭୂଷଣରେ ସମ୍ମାନୀତ କରାଯିବା କଥା। ପଶ୍ଚିମବଙ୍ଗର ଲୋକେ ଏ କଥାରେ ଖୁସି ଯେ ଦୀର୍ଘ ସମୟ ପରେ ସେମାନେ ଭୟର ବାତାବରଣରୁ ବାହାରି ଭୋଟଦାନ କରିଛନ୍ତି। ଗତ ବିଧାନସଭା ନିର୍ବାଚନ କାଳରେ ହତ୍ୟାର ଗୋଟେବି ଘଟଣା ଘଟି ନାହିଁ ଓ ଲୋକେ ଘରୁ ବାହାରି ଭୋଟ ଦାନ କରିଛନ୍ତି।
ଶମିକ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ପଶ୍ଚିମବଙ୍ଗ ଭଳି ଏକ ସୀମାବର୍ତ୍ତି ରାଜ୍ୟରେ ଜ୍ଞାନେଶ କୁମାର ଭୋଟର ଲିଷ୍ଟରୁ ବାଂଲାଦେଶୀଙ୍କୁ ହଟାଇବାର ପଦକ୍ଷେପ ନେଇଥିଲେ। ପଶ୍ଚିମବଙ୍ଗରେ ଲୋକେ ବୋଧ ହୁଏ ପ୍ରଥମ ଥର ଏଭଳି ନିର୍ବାଚନ ଦେଖିଛନ୍ତି। ଏଣୁ ପଶ୍ଚିମବଙ୍ଗର ଜନତା ଜ୍ଞାନେଶ କୁମାରଙ୍କ ନିକଟରେ କୃତଜ୍ଞ ଓ ତାଙ୍କୁ ହୃଦୟରୁ ଆଶିର୍ବାଦ ଦେଉଛନ୍ତି।