ଚଳିତ ବର୍ଷ କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ । ସୂଚନା ଓ ଲୋକସମ୍ପର୍କ ବିଭାଗ ଭସାଣ ଶୋଭାଯାତ୍ରାର ସିଧା ପ୍ରସାରଣ କରିବ । ଗୁରୁବାର ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ କଟକ ନେତାଜୀ ସଂସ୍କୃତି ଭବନରେ ଅନଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ସହରର ଚାରିଟି ସ୍ଥାନରୁ ସିଧା ପ୍ରସାରଣ ହେବ । ଏଥି ସହିତ ଦୁର୍ଗାପୂଜା ସମ୍ପର୍କିତ ପୁସ୍ତକ ମଧ୍ୟ ବାଲିଯାତ୍ରାରେ ଉନ୍ମୋଚନ କରାଯିବ। ସେହିଭଳି ଦୁର୍ଗାପୂଜା ଆରମ୍ଭରୁ କଟକ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା, କଟକର ମୁଖ୍ୟ ପ୍ରବେଶ ପଥର ୪ଟି ସ୍ଥାନରେ ତୋରଣ ସହ ସହରର ବିଭିନ୍ନ ସମସ୍ୟା ପୂଜା ପୂର୍ବରୁ ଶେଷ କରାଯିବାକୁ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।ଏହି ବୈଠକରେ କେଏମସି କମିଶନର, ମେୟର, ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସମେତ କଟକ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଅବଗତ କରାଯାଇଛି।