ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବକି ନାହିଁ,ବିଧାନସଭାରେ ସ୍ପଷ୍ଟ କରିପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକଛନ୍ତି
ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ କି ନାହିଁ, ସେ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ଏବଂ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶାବଳୀକୁ ଆଧାର କରି ନିଷ୍ପତ୍ତି ନିଆଯାଉଥିବା ନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଐତିହାସିକ ‘କେ. କୃଷ୍ଣମୂର୍ତ୍ତୀ’ ମାମଲାରେ ଦିଆଯାଇଥିବା ‘ଟ୍ରିପଲ ଟେଷ୍ଟ’ (Triple Test) ନିର୍ଦ୍ଦେଶ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଆଧାର କରି ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରସଙ୍ଗର ଆଇନଗତ ଓ ବ୍ୟାବହାରିକ ଦିଗ ଉପରେ ପରୀକ୍ଷା-ନିରୀକ୍ଷା କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ପଞ୍ଚାୟତ ସମିତି ଆଇନ ଏବଂ ଜିଲ୍ଲା ପରିଷଦ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଥିଲା। ସର୍ବୋଚ୍ଚ ଅଦାଲତଙ୍କ ନିୟମାନୁସାରେ SC, ST ଏବଂ OBCଙ୍କୁ ମିଶାଇ ମୋଟ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା ବାଧ୍ୟତାମୂଳକ ହୋଇଥିଲା। ଏହି କାରଣରୁ ପୂର୍ବରୁ OBC/SEBC ବର୍ଗ ପାଇଁ ଥିବା ୨୭ ପ୍ରତିଶତ ସଂରକ୍ଷଣ ସୀମା ପ୍ରଭାବିତ ହୋଇଥିଲା।
ମନ୍ତ୍ରୀ ନିଜ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ, ‘ଟ୍ରିପଲ ଟେଷ୍ଟ’ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ OBC/SEBC ବର୍ଗକୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇପାରିନଥିଲା। ଏହାକୁ ନେଇ ହାଇକୋର୍ଟରେ ମାମଲା ପହଞ୍ଚିବା ପରେ ବାଧ୍ୟହୋଇ ଏହି ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ପଡ଼ିଥିଲା। ତେବେ ଆଗାମୀ ନିର୍ବାଚନରେ OBC/SEBC ବର୍ଗକୁ ଆଇନଗତ ଭାବେ କିପରି ସଂରକ୍ଷଣ ମିଳିପାରିବ, ସେ ନେଇ ସରକାର ସମସ୍ତ ସାମ୍ବିଧାନିକ ଦିଗକୁ ଅନୁଧ୍ୟାନ କରୁଛନ୍ତି।