ଭାରତ ହଠାତ୍ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ ଯୋଗାଣକାରୀଙ୍କ ଉପରେ ନିର୍ଭର କରିପାରିବ ନାହିଁ- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ରୁଷ ଓ ଇରାନ୍ରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକାର ୧୦୦% ଟାରିଫ୍ ଲଗାଇବାର ନୂଆ ଆଇନ ପରେ ବୁଧବାର ଭାରତର ପକ୍ଷରୁ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତ ହଠାତ୍ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ ଯୋଗାଣକାରୀଙ୍କ ଉପରେ ନିର୍ଭର କରିପାରିବ ନାହିଁ।
ମଙ୍ଗଳବାର ‘ବିଜନେସଲାଇନ୍ ଚେଞ୍ଜମେକର୍ ଆୱାର୍ଡସ୍’ କାର୍ଯ୍ୟକ୍ରମରେ ସୀତାରମଣ କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ଶକ୍ତି ଆବଶ୍ୟକତା ଏବଂ ଦେଶର ଉର୍ଜା ସୁରକ୍ଷାକୁ ଧ୍ୟାନରେ ରଖି ତେଲ ଆମଦାନୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଭାରତ ଉପଲବ୍ଧତା, ମୂଲ୍ୟ ଏବଂ ଦେଶର ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳରୁ ତେଲ କିଣିବ ବୋଲି ସେ କହିଛନ୍ତି।
ସୀତାରମଣଙ୍କ ଯୁକ୍ତି ଅନୁସାରେ, ଭାରତ ଯଦି ରୁଷରୁ ତେଲ ନେବା ବନ୍ଦ କରି ଅନ୍ୟ ଦେଶକୁ ଯାଏ, ତେବେ ବିଶ୍ୱ ବଜାରରେ ଉପଲବ୍ଧ ତେଲର ପରିମାଣ ଉପରେ ଚାପ ବଢ଼ିପାରେ ଏବଂ ଦର ବଢ଼ିବାର ଆଶଙ୍କା ଦେଖା ଦେବା ବୋଲି ସୀତାରମଣ ଯୁକ୍ତି ରଖିଛନ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଅସ୍ଥିରତା ମଧ୍ୟରେ ବିଶ୍ୱ ତେଲ ଯୋଗାଣ ଉପରେ ଚାପ ରହିଛି। ଏଭଳି ସମୟରେ ରୁଷରୁ ବଡ଼ ପରିମାଣର ତେଲ ଆମଦାନୀ କମିଲେ ବଜାରରେ ଅତିରିକ୍ତ ଚାପ ସୃଷ୍ଟି ହୋଇପାରେ। ରୁଷ ଭଳି ବଡ଼ ଯୋଗାଣକାରୀଠାରୁ ହଠାତ୍ ଦୂରେଇବା ଦ୍ୱାରା ବିଶ୍ୱ ତେଲ ବଜାରରେ ଯୋଗାଣ ଓ ଦର ଉପରେ ପ୍ରଭାବ ପଡ଼ିପାରେ।
ଭାରତର ବିଭିନ୍ନ ରିଫାଇନାରୀ ନିର୍ଦ୍ଦିଷ୍ଟ ମାନ ଓ ପ୍ରକାରର ଅଶୋଧିତ ତେଲ ପ୍ରୋସେସିଂ ପାଇଁ ଡିଜାଇନ୍ ହୋଇଛି। ତେଣୁ ଗୋଟିଏ ଯୋଗାଣକାରୀଠାରୁ ଅନ୍ୟ ଯୋଗାଣକାରୀକୁ ତୁରନ୍ତ ବଦଳିବା ସରଳ ପ୍ରକ୍ରିୟା ନୁହେଁ। ଆମେରିକାର ନୂଆ ଆଇନ ଯୋଗୁଁ ଚ୍ୟାଲେଞ୍ଜ ରହିଥିଲେ ମଧ୍ୟ ସରକାର ଦେଶର ରିଫାଇନିଂ କ୍ଷମତା, ତେଲ ଯୋଗାଣ ଏବଂ ଘରୋଇ ଚାହିଦାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବ। ଦେଶରେ ୧୪୦ କୋଟି ଲୋକଙ୍କ ସ୍ୱାର୍ଥ ସର୍ବୋପରି ବୋଲି କହିଛନ୍ତି ସୀତାରମଣ।
ଭାରତ ଉପରେ ଆମେରିକା ଟାରିଫ୍ର ସମ୍ଭାବ୍ୟ ୩ଟି ପ୍ରଭାବ
୧. ଆମେରିକାକୁ ଭାରତୀୟ ରପ୍ତାନୀ ମହଙ୍ଗା ହୋଇପାରେ:ଯଦି ଟ୍ରମ୍ପ ପ୍ରଶାସନ ୧୦୦% ଟାରିଫ୍ ଲାଗୁ କରେ, ତେବେ ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀର ଦାମ ବଢ଼ିପାରେ। ଏହା ରପ୍ତାନୀକାରୀଙ୍କ ଉପରେ ଚାପ ସୃଷ୍ଟି କରିପାରେ।
୨. ତେଲ ଆମଦାନୀ ଓ ରପ୍ତାନୀ ମଧ୍ୟରେ ବଡ଼ ଆର୍ଥିକ ଚ୍ୟାଲେଞ୍ଜରୁଷ ତେଲରୁ ମିଳୁଥିବା ତୁଳନାତ୍ମକ ଭାବେ କମ୍ ଦରର ଲାଭ ଏବଂ ଆମେରିକୀୟ ବଜାରରେ ଅତିରିକ୍ତ ଟାରିଫ୍ର ପ୍ରଭାବ ଭାରତ ପାଇଁ ନୂଆ ଆର୍ଥିକ ଚାପ ସୃଷ୍ଟି କରିପାରେ।
୩. ରପ୍ତାନୀ, ରୋଜଗାର ଓ ଟଙ୍କା ଉପରେ ପ୍ରଭାବର ଆଶଙ୍କା:ଆମେରିକାକୁ ଭାରତର ରପ୍ତାନୀ କମିଲେ ଟେକ୍ସଟାଇଲ୍, ହୀରା, ଫାର୍ମା ଭଳି କ୍ଷେତ୍ର ପ୍ରଭାବିତ ହୋଇପାରେ। ତେବେ ଏହାର ପ୍ରକୃତ ପ୍ରଭାବ ଟାରିଫ୍ କେତେ ଲାଗୁ ହେବ ଏବଂ କେଉଁ ଦେଶ/ସାମଗ୍ରୀ ଉପରେ ଲାଗୁ ହେବ, ତାହା ଉପରେ ନିର୍ଭର କରିବ।
ଜେଲେନସ୍କିଙ୍କ ଆହ୍ୱାନ- ରୁଷରୁ ତେଲ କିଣିବା ବନ୍ଦ କରୁ ଭାରତ
ଏପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କି ଭାରତ ସମେତ ରୁଷର ତେଲ କିଣୁଥିବା ଦେଶଗୁଡ଼ିକୁ ଏହି ବାଣିଜ୍ୟ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଭାରତ, ଚୀନ୍ ଓ ଅନ୍ୟ ଦେଶରୁ ରୁଷକୁ ମିଳୁଥିବା ତେଲ ରାଜସ୍ୱ ତାହାର ଅର୍ଥନୀତିକୁ ସହାୟତା କରୁଛି।
ଜେଲେନସ୍କିଙ୍କ ମତ ହେଉଛି, ଭାରତ ଓ ଚୀନ୍ ଭଳି ଦେଶ ରୁଷରୁ ତେଲ କିଣିବା ବନ୍ଦ କଲେ ମସ୍କୋ ଉପରେ ଆର୍ଥିକ ଚାପ ବଢ଼ିବ। ତେବେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ପୂର୍ବରୁ କହିଛନ୍ତି ଯେ କେବଳ ରୁଷର ତେଲ କିଣିବା ବନ୍ଦ କରିଦେଲେ ଯୁଦ୍ଧ ଶେଷ ହେବ ନାହିଁ ଏବଂ ଏଥିପାଇଁ କୂଟନୀତି ଓ ଆଲୋଚନା ଆବଶ୍ୟକ।