ମୁସଲମାନଙ୍କ ସବୁଠୁ ପବିତ୍ର ସହର ମକ୍କାକୁ ଘନେଇଛି ବିପଦ,ଇରାନ ସମର୍ଥିତ ହୁତି ବିଦ୍ରୋହୀ ମକ୍କାକୁ କଲେ ଟାର୍ଗେଟ୍,ମକ୍କା ସମେତ ଆଖପାଖ ଅଞ୍ଚଳ ଲାଗି ଆଲର୍ଟ ଜାରି

ମୁସଲମାନଙ୍କ ସବୁଠୁ ପବିତ୍ର ସହର ମକ୍କାକୁ ଘନେଇଛି ବିପଦ। ଖୋଦ ସାଉଦୀ ଆରବ ସୁରକ୍ଷା ଏଜେନ୍ସୀମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଆଶଙ୍କା କରାଯାଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀ ମକ୍କାକୁ ଟାର୍ଗେଟ୍ କରି ପାରନ୍ତି। ଏହି ବିପଦକୁ ନଜରରେ ରଖି ସାଉଦୀ ସିଭିଲ ଡିଫେନ୍ସ ଗୁରୁବାର ମକ୍କା ସମେତ ଆଖପାଖ ଅଞ୍ଚଳ ଲାଗି ଆଲର୍ଟ ଜାରି କରିଛି। ସାଉଦୀ ଏଜେନ୍ସୀ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ନ୍ୟାସନାଲ ୟର୍ଲି ୱାର୍ଣ୍ଣିଂ ପ୍ଲାଟଫର୍ମ ପକ୍ଷରୁ ମକ୍କା ସହର ଉପରେ ସମ୍ଭାବିତ ବିପଦ ଆଶଙ୍କା କରି ଚେତାବନୀ ଜାରି କରାଯାଇଛି।

ତେବେ ଏପରି ଚେତାବନୀ ଜାରି ହେବାର ଏହା ପ୍ରଥମ ଘଟଣା ନୁହେଁ। ଗତ ୧୦ ଦିନରେ ଏହା ଦ୍ୱିତୀୟ ବାର ଯେବେ ମକ୍କା ଲାଗି ଏପରି ଆଲର୍ଟ ଜାରି ହୋଇଛି। ମକ୍କା ବ୍ୟତୀତ ୟାନବୁ, ତାଇଫ, ଜେଦ୍ଦା ଓ ତବୁକ୍ ଭଳି ପଶ୍ଚିମ ଉପକୂଳ ସହରାଞ୍ଚଳ ଲାଗି ପୃଥକ ପୃଥକ ଚେତାବନୀ ଜାରି ହୋଇଛି। ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଅନୁସାରେ କିଛି ମିନିଟ୍ ପରେ ଏହି ସତର୍କତାକୁ ହଟେଇ ନିଆଯାଇଛି। ତେବେ ଗତ କିଛି ସପ୍ତାହ ହେଲା ଏପରି ଆଲର୍ଟ ପରେ ହୁତିମାନେ ଆକ୍ରମଣ କରିଛନ୍ତି।

ସାଉଦୀ ଆରବ ଗତ ସପ୍ତାହରେ ଅଭିଯୋଗ କରିଥିଲା ଯେ ହୁତିମାନେ ମକ୍କା ଉପରେ ଡ୍ରୋନ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ତେବେ ଏୟାର ଡିଫେନ୍ସ ସେମାନଙ୍କ ଉଦ୍ୟମକୁ ବିଫଳ କରିଛି। ସାଉଦୀ ଅଧିକାରୀଙ୍କ ଅନୁସାରେ ୨୦୧୭ ମସିହା ପରେ ମକ୍କାକୁ ଟାର୍ଗେଟ କରିବାର ଏହା ପ୍ରଥମ ଉଦ୍ୟମ ଥିଲା। ତେବେ ହୁତି ସମୂହ ଏପରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୧୫ ତାରିଖରେ ଆଜି ଭଳି ଆଲର୍ଟ ଜାରି ହୋଇଥିଲା। ସେତେବେଳେ ସାଉଦୀ ଏୟାର ଡିଫେନ୍ସ ମକ୍କା ସହରର ଦକ୍ଷିଣ ଦିଗରେ ଏକ ହୁତି ଡ୍ରୋନକୁ ଅଟକାଇ ନଷ୍ଟ କରିଦେଇଥିଲା। ଏହି ଡ୍ରୋନ ନିଷିଦ୍ଧ ଆକାଶ ମାର୍ଗକୁ ପଶି ପାରିନଥିଲା। ଏହାର କିଛି ଦିନ ପରେ ହୁତି ସାଉଦୀ ରାଜଧାନୀ ରିଆଦକୁ ସେମାନଙ୍କ ଟାର୍ଗେଟ କରିଥିଲେ। ଏଣୁ ଉତ୍ତେଜନା ଆହୁରି ବଢି ଯାଇଥିଲା।

ତେବେ ୟେମେନର ହୁତି ବିଦ୍ରୋହୀ ଓ ସାଉଦୀ ସମର୍ଥିତ ସରକାରଙ୍କ ମଧ୍ୟରେ ପୁଣି ଥରେ ଯୁଦ୍ଧ ତୀବ୍ର ହୋଇଛି। ଏହି ଯୁଦ୍ଧ ଏପରି ସମୟରେ ହେଉଛି ଯେତେବେଳେ ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ହୁତିମାନେ ନିକଟରେ ସାଉଦୀ ଆରବ ସମୁଦ୍ରକୁ ନାକାବନ୍ଦୀ କରିଥିବା ଘୋଷଣା କରିଥିଲେ ଓ ଲୋହିତ ସାଗରରେ ସାଉଦୀ ଆରବ ଡାହାଜ ଉପରେ ଆକ୍ରମଣ କରିଥିଲେ। ଚଳିତମାସ ପ୍ରାରମ୍ଭରେ ହୁତି ବାବ ଅଲ-ମଣ୍ଡେଭ ପ୍ରଣାଳୀ ନିକଟରେ ଗୁରୁତ୍ୱପୂର୍ଣ୍ଣ ଉପକୂଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ।

Leave a comment