ଷ୍ଟକ ବଜାର କାବରାରରେ ଅସ୍ଥିରତା: ସେନ୍‌ସେକ୍ସ ୧୨୪୭.୭୧ ପଏଣ୍ଟ ହ୍ରାସ ପାଇ ୭୩,୫୮୦.୫୪ ପଏଣ୍ଟରେ ବନ୍ଦ

ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ନୂଆ ବୀମା କମିସନ ନିୟମ ଘୋଷଣା ହେବା ପରେ ଆଜି ଷ୍ଟକ ବଜାର କାବରାରରେ ଅସ୍ଥିରତା ଦେଖାଦେଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨୪୭.୭୧ ପଏଣ୍ଟ ହ୍ରାସ ପାଇ ୭୩,୫୮୦.୫୪ ପଏଣ୍ଟରେ ବନ୍ଦ ହୋଇଥିଲା। ସେହି ସମୟରେ ନ୍ୟାସନାଲ ଷ୍ଟକ୍‌ ଏକ୍ସ‌ଚେଞ୍ଜର ନିଫ୍‌ଟି ୩୮୩.୭୦ ପଏଣ୍ଟ ହ୍ରାସ ପାଇ ୨୩,୦୬୩.୧୦ ପଏଣ୍ଟରେ ବନ୍ଦ ହୋଇଥିଲା। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା କମିସନ ଢାଞ୍ଚାରେ ପରିବର୍ତ୍ତନ କରାଯିବା ପରେ ଆର୍ଥିକ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ଅଧିକ ବିକ୍ରି ହୋଇଥିଲା।

ସେନ୍‌‌ସେକ୍ସର ଅଂଶ ଥିବା ବଜାଜ ଫାଇନାନ୍ସ, ଆକ୍ସିସ୍‌ ବ୍ୟାଙ୍କ, ବଜାଜ ଫିନ୍‌ସର୍ଭ, ଇଣ୍ଡିଗୋ, ‌ଟ୍ରେଣ୍ଟ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏସିଆନ୍‌ ପେଣ୍ଟ୍‌ସ ଓ ଭାରତୀ ଏୟାରଟେଲ୍‌ ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇଥିଲା। ନିଫ୍‌ଟିରେ ଅଟୋମୋବାଇଲ୍‌, ଆର୍ଥିକ ସେବା, ଏଫ୍‌ଏମ୍‌ସିଜି, ସୂଚନା ପ୍ରଯୁକ୍ତି, ଗଣମାଧ୍ୟମ ଓ ଧାତବ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ଅଧିକ ବିକ୍ରି ହୋଇଥିଲା। ଫାର୍ମା, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ରିଅଲ ଇ‌ଷ୍ଟେଟ୍‌, କଞ୍ଜ୍ୟୁମର ଡ୍ୟୁରେବଲ୍‌, ସ୍ବାସ୍ଥ୍ୟସେବା ଏବଂ ତୈଳ ଓ ଗ୍ୟାସ୍‌ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ମଧ୍ୟ ଚାପରେ ଥିଲା।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ବୃଦ୍ଧି ପାଇଛି। ବ୍ରେଣ୍ଟ କ୍ରୁଡ୍‌ ଦର ବ୍ୟାରେଲ୍‌କୁ ୧୦୫.୧୦ ଡଲାର ଏବଂ ଆମେରିକାର ୱେଷ୍ଟ ଟେକ୍ସାସ୍‌ ଇଣ୍ଟରମେଡିଆରି ଦର ୯୩.୪୭ ଡଲାରକୁ ବୃଦ୍ଧି ପାଇଛି। ମହଙ୍ଗା ତେଲ ଭାରତର ଆମଦାନି ବିଲ୍‌ ବଢ଼ାଇବା ଓ ଦେଶରେ ଦରଦାମ୍‌ ସ୍ଥିତି ବେଲଗାମ କରିବା ଆଶଙ୍କା ଥିବାରୁ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଇରାନ ଉପରେ ଆମେରିକାର ଆକ୍ରମଣ ପରଠାରୁ ଅଶୋଧିତ ତୈଳ ଦର ଉଚ୍ଚା ରହିଛି। ଗତ କିଛି ଦିନ ପୂର୍ବେ ତାହା ସାମାନ୍ୟ ତଳକୁ ଖସିଥିଲା। ଏବେ ପୁଣି ସେଥିରେ ବୃଦ୍ଧି ହେବା ନିବେଶକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Leave a comment