ଭାରତ ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ନୂଆ ସ୍ତରରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସହଯୋଗକୁ ବୃଦ୍ଧି କରିବା ପାଇଁ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାଇ ପାର୍ମେଲିନଙ୍କ ମଧ୍ୟରେ ଆଲୋଚନା ପରେ ଏବେ ଦୁଇ ଦେଶର ସମ୍ପର୍କ କେବଳ ବ୍ୟବସାୟ ମଧ୍ୟରେ ସୀମିତ ରହିବ ନାହିଁ । ନିବେଶ, ରପ୍ତାନି, ପ୍ରତିରକ୍ଷା, ପରମାଣୁ ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ମିଳିତ କାର୍ଯ୍ୟକୁ ଆଗକୁ ବଢ଼ାଯିବ ।
ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ସୋମବାର ଇମିଗ୍ରେସନ୍ ଏବଂ ମୋବିଲିଟି ଭାଗିଦାରୀ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଉଭୟ ଭାରତୀୟ ସାମଗ୍ରୀକୁ ସ୍ୱିସ୍ ବଜାରରେ ପହଞ୍ଚ ବୃଦ୍ଧି କରିବା ଏବଂ ପରମାଣୁ ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ସମ୍ମତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପାର୍ମେଲିନ୍ ସୋମବାର ସକାଳେ ତିନି ଦିନିଆ ରାଷ୍ଟ୍ରୀୟ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ହୋଇଥିବା ବେଳଏ ଚଳିତ ବର୍ଷ ସେ ଦ୍ୱିତୀୟ ଥର ପାଇଁ ଭାରତ ଆସିଛନ୍ତି । ପୂର୍ବରୁ ସେ ଫେବ୍ରୁଆରୀରେ ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମିଟ୍’ରେ ଯୋଗଦେବାକୁ ଆସିଥିଲେ ।
ୟୁରୋପରେ ସ୍ୱିଜରଲ୍ୟାଣ୍ଡ ଭାରତର ଏକ ପ୍ରମୁଖ ଆର୍ଥିକ ଭାଗିଦାରୀ ଦେଶ । ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ଦେଶ, ଆଇସଲ୍ୟାଣ୍ଡ, ଲିଚଟେନଷ୍ଟାଇନ୍, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ‘ବ୍ୟାପାର ଏବଂ ଆର୍ଥିକ ଭାଗିଦାରୀ ଚୁକ୍ତି’ (TEPA) ଅକ୍ଟୋବରରେ ଲାଗୁ ହେବା ପରେ ଦୁଇ ପକ୍ଷ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ମିଳିଛି ।
ପିଏମ୍ ମୋଦୀ କହିଛନ୍ତି ଯେ TEPA ହେଉଛି ନିବେଶ, ନବସୃଜନ, ନିଯୁକ୍ତି ଏବଂ ସାମୂହିକ ସମୃଦ୍ଧି ପାଇଁ ଏକ ‘ଆକାଂକ୍ଷୀ ରୂପରେଖ’ । ଏହା ମାଧ୍ୟମରେ ଆମେ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୧୦୦ ବିଲିୟନ୍ ଆମେରିକୀୟ ଡଲାରର ନିବେଶ ଏବଂ ୧୦ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତିର ଆମ ଲକ୍ଷ୍ୟକୁ ସାକାର କରିବୁ । ଉଭୟ ପକ୍ଷ ଏହି ସହଭାଗିତାକୁ ‘ନୂତନ ଗତି’ ଦେବାକୁ ଯାଉଛନ୍ତି ।