କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍, ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି। ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା। ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା। ରାତିରେ ଏହା ଦକ୍ଷିଣପଶ୍ଚିମ ଦିଗରେ ଗତି କରିଥିଲା। ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି।ଏଥିସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବର୍ଷାପବନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମୀକ୍ଷା କରି କହିଛନ୍ତି। ପ୍ରାକୃତିକ ବିପର୍ୟ୍ୟୟରେ ଆମର ଏକମାତ୍ର ନୀତି ହେଉଛି ‘ଜିରୋ କାଜୁଆଲ୍ଟି। ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା କରି ପରିସ୍ଥିତିର ମୁକାବିଲା କରିବ। ଜଳବନ୍ଦି ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ସେମାନଙ୍କୁ ଉପଯୁକ୍ତ ରିଲିଫ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ବାତ୍ୟାର ସମ୍ଭାବନା ନାହିଁ, ତଥାପି ସମସ୍ତ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା ସହ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।