ଓଡ଼ିଶାରେ ପୁଣି ବଢ଼ିବ ବର୍ଷା,ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା

ଆଜି ଆଣ୍ଡାମାନ ସାଗରରେ ପହଞ୍ଚିବ ଘୂର୍ଣ୍ଣିବଳୟ । ଓଡ଼ିଶାରେ ପୁଣି ବଢ଼ିବ ବର୍ଷା । ଥାଇଲାଣ୍ଡ ଅଞ୍ଚଳରୁ ଆସୁଥିବା ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଏନେଇ ସୂଚନା ଦେଇଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟା ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ।  IMDର ପୂର୍ବାନୁମାନ ଅନୁସାରେ, ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହି ପାଣିପାଗ ବ୍ୟବସ୍ଥା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି ।

କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ଦିନରେ ପାଣିପାଗ ବ୍ୟବସ୍ଥା ଓଡ଼ିଶା ଉପକୂଳ ଆଡ଼କୁ ଆସିବା ସହ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ। ଅନ୍ୟପଟେ ଏହି ପାଣିପାଗ ବ୍ୟବସ୍ଥାକୁ ନେଇ ବାତ୍ୟା ସମ୍ପର୍କିତ ଚର୍ଚ୍ଚା ମଧ୍ୟ ହେଉଛି ।  କିନ୍ତୁ ବର୍ତ୍ତମାନ ସୁଦ୍ଧା IMD କୌଣସି ବାତ୍ୟା ପୂର୍ବାନୁମାନ କରିନାହିଁ ।  ଏବେ କେବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବାତ୍ୟାକୁ ନେଇ ଏବେଠାରୁ ଆତଙ୍କିତ ନହୋଇ IMDର ସରକାରୀ ସୂଚନା ଉପରେ ନଜର ରଖିବା ଜରୁରୀ ।  ପାଣିପାଗ ବିଭାଗ ମଧ୍ୟ ଏହି ବ୍ୟବସ୍ଥାର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ।

Leave a comment