ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ବୁଧବାର ଦଣ୍ଡାଦେଶ କରିଛନ୍ତି। କୋର୍ଟ ସମସ୍ତ ୧୦ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ୍ ଅଜୟ ସିଂହ ରାଜପୁତ ଅପରାହ୍ନ ୫ଟା ରେ ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ମାମଲାର ସବୁ ଦୋଷୀ ଏବେ ଜଗଦ୍ଦଲପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଅଛନ୍ତି। ଆଜି ଦଣ୍ଡ ଶୁଣାଣି ପାଇଁ ଅଭିଯୁକ୍ତଙ୍କ ପରିବାର ଲୋକେ କୋର୍ଟ ବାହାରେ ଭିଡ ଜମେଇଥିଲେ। ଏଥିରେ ଦାନ୍ତେୱାଡା ଓ ବିଜାପୁରର ମାଓବାଦୀଙ୍କ ପରିବାର ମଧ୍ୟ ଜଗଦ୍ଦଲପୁର ଆସିଥିଲେ।

ସ୍ୱତନ୍ତ୍ର କୋର୍ଟ ୫ ସେପ୍ଟେମ୍ବର ନିଷ୍ପତ୍ତିରେ ପ୍ରମିଳା ମୋଡିୟାମ, ସୁମିତ୍ରା ପୁନେମ, ମୁକ୍କା ମାଣ୍ଡଭୀ, ମଡକାମୀ ଦେଭା, କୋସା କଭାସୀ, ଆୟତ ମରକାମ, ବଞ୍ଜାମୀ ସେନା, ଚୈତୁ ଲୋକାମ, ଜୋଗା ମଡକାମୀ ଓ ମହାଦେବ ନାଗାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନେ ୭ଟି ଧାରାରେ ଦୋଷୀ ପ୍ରମାଣିତ ହୋଇଥିଲେ। ୨୫ ମେ ୨୦୧୩ରେ କଂଗ୍ରେସର ‘ପରିବର୍ତ୍ତନ ଯାତ୍ରା’ ଉପରେ ମାଓବାଦୀମାନେ ଦରଭା କ୍ଷେତ୍ରର ଝିରମ ଘାଟିରେ ଚାରିଆଡୁ ଘେରି ଆକ୍ରମଣ କରିଥିଲେ।

ମାଓବାଦୀଙ୍କ ଏହି ଆକ୍ରମଣରେ ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା, ତତ୍କାଳୀ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳା, ପୂର୍ବତନ ବିଧାୟକ ଉଦୟ ମୁଦାଲିୟାର ଓ ଯୋଗେନ୍ଦ୍ର ଶର୍ମାଙ୍କ ସହ ୩୨ ଜଣ ପ୍ରାଣ ହରାଇଥିବା ବେଳେ ୩୮ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏନଆଇଏ ଚାର୍ଜସିଟ୍ ରେ ୨୭ ଜଣଙ୍କ ମୃତ୍ୟୁ ପୁଷ୍ଟି ହୋଇଥିଲା। ଏହି ମାମଲାର ବିସ୍ତୃତ ଯାଞ୍ଚ ପରେ ଏନଆଇଏ ୨୦୧୫ ମସିହାରେ ୧ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।

ନକ୍ସଲଙ୍କ ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟରେ ବରିଷ୍ଠ କଂଗ୍ରେସ ନେତାମାନେ ଥିଲେ। ଏହି ଆକ୍ରମଣ ଘଟଣାରେ ମୋଟ ୧୧ ଜଣଙ୍କୁ ଏନଆଇଏ ଅଭିଯୁକ୍ତ କରିଥିଲା। ତେବେ ଯାଞ୍ଚ ଓ ଶୁଣାଣି କାଳରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା। ଏଣୁ ବାକି ୧୦ ଜଣଙ୍କ ଶୁଣାଣି ହଇଥିବା ବେଳେ ସାକ୍ଷ ଓ ପ୍ରମାଣ ଆଧାରରେ କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Leave a comment