ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ୱଲପୁର ଗସ୍ତ : ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସମ୍ୱଲପୁର ଗସ୍ତ ଅବସରରେ ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ କରିଛନ୍ତି । ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ସମ୍ୱଲପୁର ଠାରେ ସ୍ଥାପିତ ଡପ୍ଲର ପାଣିପାଗ ରାଡାର୍ (ଡିବ୍ଲୁ୍ୟଆର) ର ସ୍ୱତନ୍ତ୍ର ଆଞ୍ଚଳିକ ଗୁରୁତ୍ୱ ରହିଥିବା ବେଳେ ଏହା ଦ୍ୱାରା ଓଡ଼ିଶାର ଏକ ବ୍ୟାପକ ଅଞ୍ଚଳ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା ସହିତ ସାମିଲ ହୋଇ ପାରିଛି । ପାରାଦୀପ ଓ ଗୋପାଳପୁର ପରେ ଏହା ରାଜ୍ୟର ତୃତୀୟ ଡପଲର ରାଡାର । ୨୪ ଘଣ୍ଟା କାର୍ଯ୍ୟକ୍ଷମ ଏହି ରାଡାର ୨୫୦ କିଲୋମିଟର ପରିଧି ମଧ୍ୟରେ ସଠିକ ତଥ୍ୟ ଏବଂ ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ପୂର୍ବାନୁମାନ କରିପାରିବ । ଏହା ଦ୍ୱାରା ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, କଳାହାଣ୍ଡି, କେନ୍ଦୁଝର ଓ ଢେଙ୍କାନାଳ ଆଦି ୧୩ଟି ଜିଲ୍ଲା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟର କିଛି ଅଞ୍ଚଳ ଉପକୃତ ହେବେ । ପ୍ରାକ୍-ମୌସୁମୀ ବଜ୍ରଝଡ଼, ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ମିଳିବା ଫଳରେ ଓଡ଼ିଶାର ‘ଭାତ ହାଣ୍ଡି’ ବରଗଡ଼ ସମେତ ସମଗ୍ର ମହାନଦୀ ଅବବାହିକାର ଚାଷୀ ମାନେ ବିଶେଷ ଉପକୃତ ହେବେ । ଏହି ରାଡାର ପ୍ରତି ୧୦ ମିନିଟ୍ରେ ୧୫୦ ମିଟର ରିଜୋଲୁସନରେ ବୃଷ୍ଟିପାତର ଆକଳନ କରି ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ (ଇନ ଫ୍ଲୋ) ପରିଚାଳନାକୁ ଅଧିକ ସୁଦୃଢ଼ କରିବ । ଏହା ସହିତ ବିଦ୍ୟୁତ, ଶିଳ୍ପ, ପରିବହନ ଓ ଗ୍ରୀଡ୍ ଅପରେସନ୍ କ୍ଷେତ୍ରରେ ମଧ୍ୟ ଏହା ସତର୍କତାମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ । ସରକାର ‘ଟେକ୍ନୋଲୋଜି ଡ୍ରିଭିନ୍ ପ୍ରୋ-ଆକ୍ଟିଭ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ସିଷ୍ଟମ’ ଗଠନ କରୁଛନ୍ତି ଏବଂ ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡପ୍ଲର ରାଡାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ସମାରୋହ ଅବସରରେ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଭାସୀ ମାଧ୍ୟମରେ ଯୋଗ ଦେଇ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ସମ୍ୱଲପୁର ଠାରେ ଉଦ୍ଘାଟିତ ଡପ୍ଲର ରାଡାର ଆମ ପୂର୍ବାନୁମାନ ପ୍ରଣାଳୀ (ଫୋରକାଷ୍ଟ ସିଷ୍ଟମ) କ୍ଷେତ୍ରରେ ଏକ ବିରାଟ ସଫଳତା ଓ ମାଇଲଖୁଣ୍ଟ । ୨୦୧୪ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ମହାକାଶ ବିଜ୍ଞାନକୁ ସର୍ବୋଚ୍ଚ ପ୍ରାଥମିକତା ଓ ମାନ୍ୟତା ଦିଆଯାଇଛି । ଆଜି ଭାରତ କେବଳ ନିଜ ଦେଶ ନୁହେଁ, ପଡ଼ୋଶୀ ଦେଶ ଗୁଡ଼ିକୁ ମଧ୍ୟ ପାଣିପାଗ ପୂର୍ବାନୁମାନ ଓ ତଥ୍ୟ ଯୋଗାଇ ସହାୟତାର ହାତ ବଢ଼ାଉଛି । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଆହୁରି ୪୦ଟି ଡପ୍ଲର ରାଡାର ଯୋଡ଼ାଯିବ, ଯାହା ଦ୍ୱାରା ସମଗ୍ର ଓଡ଼ିଶା ରାଜ୍ୟର କୋଣ-ଅନୁକୋଣ ପାଇଁ ସଠିକ୍ ପାଣିପାଗ ପୂର୍ବାନୁମାନ ମିଳିପାରିବ ।
ଜଳବାୟୁ ସହନଶୀଳ ରାଜ୍ୟ (କ୍ଲାଇମେଟ ରି ସାଇଲେନ୍ସ ଷ୍ଟେଟ) ଭାବେ ଓଡ଼ିଶାର ଏହି ନୂତନ ଅଭ୍ୟୁଦୟ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ଡପ୍ଲର ପାଣିପାଗ ରାଡାରର ସ୍ଥାପନା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଓ ଆବଶ୍ୟକତାକୁ ପୂରଣ କରିଛି । ସେ ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ବିପର୍ଯ୍ୟୟ ପୂର୍ବପ୍ରସ୍ତୁତି ଓ ଆଗୁଆ ସୂଚନା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି । ସମ୍ୱଲପୁର ଠାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ରାଡାର ଦ୍ୱାରା କେବଳ ସମ୍ୱଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ୧୩ଟି ଜିଲାର କୃଷକ, ଆଞ୍ଚଳିକ ଜନସାଧାରଣ ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀ ବିପଦର ବହୁ ଆଗରୁ ବଜ୍ରପାତ, ପ୍ରବଳ ବର୍ଷା ଓ ଝଡ଼େତାଫାନର ସଠିକ୍ ତଥ୍ୟ ପାଇପାରିବେ । ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀଠାରେ ମଧ୍ୟ ନୂତନ ଡପ୍ଲର ରାଡାର ସ୍ଥାପନ କରାଯାଇ ସମଗ୍ର ଓଡ଼ିଶାକୁ ଏକ ସୁରକ୍ଷିତ ଏବଂ ପ୍ରଯୁକ୍ତିବିଦ୍ଧି-ଭିତ୍ତିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଅଧୀନକୁ ଅଣାଯିବ ବୋଲି ଶ୍ରୀ ପୁଜାରୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ଜୟ ନାରାୟଣ ମିଶ୍ର, ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଦଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, ଏସଆରସି ରାଜେଶ ପ୍ରଭାକର ପାଟିଲ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ସମ୍ୱଲପୁର ଜିଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ପୁର୍ବତନ ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।