ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି,୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ
ସୁପ୍ରିମକୋର୍ଟରେ ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି । ଅଧିକ ୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ ଏ.ପି ସିଂହ । OSSRBର ରିଜେକ୍ସନ ଅର୍ଡରକୁ ସମୀକ୍ଷା କରିବାକୁ ସମୟ ମାଗିଲେ । ଏହା ପୂର୍ବରୁ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଦାରା ସିଂଙ୍କ ସମୟ ପୂର୍ବରୁ ମୁକ୍ତି ପ୍ରସ୍ତାବକୁ ଗ୍ରହଣ କରିନାହିଁ । ଅଗଷ୍ଟ ୩୧ରେ ଅନୁଷ୍ଠିତ ବୋର୍ଡର ସ୍ୱତନ୍ତ୍ର ବୈଠକରେ ତାଙ୍କ ମାମଲା ଉପରେ ବିଚାର କରାଯାଇଥିଲା । ଦାରା ସିଂ ୨୬ ବର୍ଷରୁ ଅଧିକ ସମୟ ଜେଲରେ ରହିସାରିଛନ୍ତି । ଓଡ଼ିଶା ସରକାରଙ୍କ ୨୦୨୨ ରିମିସନ୍ ନୀତି ଅନୁସାରେ ତାଙ୍କ ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗ ବିଚାର ପରିସରକୁ ଆସିଥିଲା । ମାର୍ଚ୍ଚ ୧୮ର ଶୁଣାଣିରେ ଓଡ଼ିଶା ସରକାର ୨୦୨୨ର ରିମିସନ୍ ନୀତିକୁ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ମୃତ୍ୟୁଦଣ୍ଡ ପରେ ଦଣ୍ଡାଦେଶ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତିତ ହୋଇଥିବା ଦୋଷୀଙ୍କ କ୍ଷେତ୍ରରେ ୨୫ ବର୍ଷ କାରାବାସ ପରେ ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗ ବିଚାର କରାଯାଇପାରିବ ବୋଲି ଏହି ନୀତିରେ ବ୍ୟବସ୍ଥା ରହିଥିବା କୋର୍ଟ ରେକର୍ଡ କରିଥିଲେ ।
ଅଗଷ୍ଟ ୧୯ରେ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଦାରା ସିଂଙ୍କ ରିମିସନ୍ ଆବେଦନ ଉପରେ ନିଷ୍ପତ୍ତି ପାଇଁ ମାମଲାକୁ ବାରମ୍ବାର ଘୁଞ୍ଚାଯାଇଛି। ଏହାପରେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ନିଷ୍ପତ୍ତି ନେଇ କୋର୍ଟଙ୍କୁ ଅବଗତ କରିବାକୁ କୁହାଯାଇଥିଲା । ସେପ୍ଟେମ୍ବରରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଥିଲେ । ଗତ ୮ ତାରିଖର ଶୁଣାଣି ପରେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ଆଉ ସମୟ ଦିଆଯାଇନଥିଲା ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଆଜି ପାଇଁ ଧାର୍ଯ୍ୟ ହୋଇଥିଲା । ୧୯୯୯ ଜାନୁଆରୀ ୨୩ରେ କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରାଯାଇଥିଲା । ୨୦୦୦ ଜାନୁଆରୀରେ ଏହି ମାମଲାରେ ଗିରଫ ହୋଇଥିଲା ଦାରା ସିଂ । ୨୦୦୩ରେ ସିବିଆଇ କୋର୍ଟ ତାଙ୍କୁ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଓ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ । ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।