୧୩ରେ ଲଘୁଚାପ, ୧୫ରେ ନେବ ଅବପାତର ରୂପ

୧୧.୧ ଡିଗ୍ରୀ ସେଲସିୟସକୁ ଖସିଲା ସେମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା। ଜି.ଉଦୟଗିରି ୧୨.୫, ନବରଙ୍ଗପୁର ୧୩.୫ ଡିଗ୍ରୀକୁ ଖସିଲା ପାରଦ। ଅନ୍ୟ ଅଞ୍ଚଳ ଭିତରେ ଝାରସୁଗୁଡ଼ା, ଫୁଲବାଣୀ, ଦାରିଙ୍ଗିବାଡ଼ିରେ ରାତି ପାରଦ ୧୫ ଡିଗ୍ରୀ ତଳକୁ ଆସିଛି। ଉପକୂଳ ଅଞ୍ଚଳ ଭିତରେ କଟକ, ଭଦ୍ରକର ରାଣୀତାଲ, ଯାଜପୁର, ଖୋର୍ଦ୍ଧା ସହରରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ-ଏବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୬-୭ ଦିନ ଯାଏ ପାଗ ବିଶେଷ ବଦଳିବା ସମ୍ଭାବନା ନାହିଁ । ଭୁବନେଶ୍ଵର ସମେତ ଅଳ୍ପ କେତେକ ଜାଗାରେ ହାଲୁକା ଥଣ୍ଡା ସ୍ଥିତି ରହିବ।

ସେହିପରି ବୁଧବାର ଅସରାଏ ଲେଖାଏଁ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୩ ତାରିଖ ବେଳକୁ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ରୂପ ନେବା ସମ୍ଭାବନା ଅଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ୧୪ରେ ସ୍ପଷ୍ଟ ଚିହ୍ନିତ (ୱେଲ୍ ମାର୍କଡ) ଲଘୁଚାପରେ ପରିଣତ ହେବ। ୧୫ ତାରିଖକୁ ଅବପାତ ରୂପ ନେଇପାରେ।ତେବେ ଓଡ଼ିଶା ପାଇଁ ଆଇଏମଡି ଜାରି କରିଥିବା ପୂର୍ବାନୁମାନ ଅନୁସାରେ- ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ବିଶେଷ ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି। ଏଥିରୁ ଅନୁମାନ କରାଯାଇପାରେ ସମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶାକୁ ବିଶେଷ ପଡ଼ିବା ସମ୍ଭାବନା କମ୍।

Leave a comment