ଓଡ଼ିଶାରୁ ଘର ବାହୁଡ଼ିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ,୧୩ କିମ୍ବା ୧୪ ଅକ୍ଟୋବରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଓଡ଼ିଶାରୁ ବିଦାୟ ନେବ ମୌସୁମୀ । ୩ ଦିନ ଶୁଖିଲା ପାଗ ପରେ ପୁଣି ବର୍ଷା ସମ୍ଭାବନା । ଓଡ଼ିଶାରୁ ଘର ବାହୁଡ଼ିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି । ଦେଶର ବିଭିନ୍ନ ଅଞ୍ଚଳରୁ ମଧ୍ୟ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି । ଆଗାମୀ ୩ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କୌଣସି ଜିଲ୍ଲା ପାଇଁ ବର୍ଷା କିମ୍ବା ଅନ୍ୟ କୌଣସି ବଡ଼ ପାଣିପାଗ ଚେତାବନୀ ନାହିଁ । ବର୍ଷା କମିବା ସହ ଦିନର ତାପମାତ୍ରା ସାମାନ୍ୟ ବଢ଼ିପାରେ । କେତେକ ସ୍ଥାନରେ ଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ସେପଟେ ଦେଶରୁ ମଧ୍ୟ ମୌସୁମୀ ବାୟୁ ଦ୍ରୁତ ଗତିରେ ଫେରୁଛି । ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଆଉ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବାର ଆକଳନ ରହିଛି ।  ହେଲେ ଶୁଖିଲା ପାଗ ବେଶି ଦିନ ରହି ନପାରେ । ୭ କିମ୍ବା ୮ ତାରିଖ ବେଳକୁ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଦଶହରା ସମୟରେ କିଛି ଅଞ୍ଚଳରେ ବର୍ଷା ପୂଜା ମାହୋଲକୁ ପ୍ରଭାବିତ କରିପାରେ । ଏହାପରେ ନଜର ରହିବ ଆଣ୍ଡାମାନ ସାଗର ଉପରେ ।

ଭାରତୀୟ ପାଣିପାଗ ବିଭାଗର ଦୀର୍ଘମିଆଦୀ ଆକଳନ ଅନୁସାରେ ୧୩ କିମ୍ବା ୧୪ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ପରିସ୍ଥିତି ତିଆରି ହୋଇପାରେ । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ଗଠନର ସମ୍ଭାବନା ରହିଛି । ତେବେ ଏବେଠାରୁ ଏହି ସମ୍ଭାବ୍ୟ ସିଷ୍ଟମର ଗତିପଥ କିମ୍ବା ଏହା କେତେ ଶକ୍ତିଶାଳୀ ହେବ, ସେନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ । ଅକ୍ଟୋବର ୧୫ ପରେ ସିଷ୍ଟମର ସ୍ଥିତି ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ । ତେଣୁ ଏବେଠାରୁ ଏହାକୁ ବାତ୍ୟା ବୋଲି କହିବାର କୌଣସି ଆଧାର ନାହିଁ ।

ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁଙ୍କ ଆକଳନ ଅନୁସାରେ, ସମ୍ଭାବ୍ୟ ସିଷ୍ଟମ୍ ପ୍ରଭାବରେ ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ତେବେ ସିଷ୍ଟମ୍ ଗଠନ ହେବା ପରେ ହିଁ ବର୍ଷାର ପରିମାଣ ଓ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବ, ତାହା ଅଧିକ ସ୍ପଷ୍ଟ ହେବ । ଅନ୍ୟପଟେ ମୌସୁମୀ ବିଦାୟ ସହ ଓଡ଼ିଶାରେ ଧୀରେ ଧୀରେ ଶୀତର ଆଭାସ ମଧ୍ୟ ମିଳିବା ଆରମ୍ଭ ହୋଇଛି। କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଭଳି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା କମିବା ସହ ସକାଳୁ କୁହୁଡ଼ି ଦେଖାଦେବା ଆରମ୍ଭ ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ରାଜ୍ୟରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇ ଶୀତର ପ୍ରଭାବ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞଙ୍କ ଆକଳନ ରହିଛି ।

Leave a comment