ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି , ଆଲର୍ଟରେ ମାଲକାନଗିରି ଜିଲ୍ଲା

ବର୍ଷା ପାଇଁ ଆଲର୍ଟରେ ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୨୬ଟି ବନ୍ୟା ଆଶ୍ରୟସ୍ଥଳିକୁ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଇଛି । ସେଠାରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରି ଓ ବେସରକାରୀ ସ୍କୁଲ କଲେଜ ସହ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।

ସେପଟେ ଗଭୀର ଅବପାତ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି  ।  ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ପ୍ରବଳ ବର୍ଷା ଦେଖିବାକୁ ମିଳିଛି l ସେହିପରି ପୁରୀ ସମୁଦ୍ର ଅଶାନ୍ତ ରହିଛି  । ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ଭିତରକୁ ନ ଯାଇ କୂଳ ରେ ଗାଧୋଇବା ଲାଗି ସଚେତନ କରୁଛନ୍ତି ଲାଇଫ ଗାର୍ଡ  । ସମୁଦ୍ରର ବିଭିନ୍ନ ସ୍ଥାନ ରେଡ୍ ଫ୍ଲାଗ ପୋତାଯାଇ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି  । ତଳିଆ ଅଞ୍ଚଳ ଏବଂ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳି ଗୁଡିକୁ ମଧ୍ୟ ସଜାଗ ରଖିଛି ଜିଲ୍ଲା ପ୍ରଶାସନ ।

ଅନ୍ୟପଟେ ଗଭୀର ଅବପାତ ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀକୁ ପାହାଡ଼ ଉପରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଗଲା । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । ଏହି ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲା ଓ ବ୍ଲକ ପ୍ରଶାସନ ତତ୍ପରତାର ସହ ଦୁର୍ଗମ ଅଞ୍ଚଳ ଆଙ୍କୁଲି, ବୁରାତାଲ ପଂଚାୟତର ପାହାଡ଼ ଉପରେ ବସବାସ କରୁଥୁବା ଲୋକଙ୍କୁ ଆଣି ଆଶ୍ରୟ ସ୍ଥଳୀରେ ରଖାଯାଇଛି  । ଗତକାଲି ରାତିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି   । ଆଙ୍କୁଲି ପଂଚାୟତର ତାଡ଼କା ସାହି ନିକଟରେ ବହୁମୁଖୀ କେନ୍ଦ୍ରରେ ୭୪ ଜଣଙ୍କୁ ରଖାଯାଇଛି । ସେହିଭଳି ବୁରାତାଲ ପଂଚାୟତର ବୁରାତାଲ ସେବା କେନ୍ଦ୍ର,ଲାଇଡା ଓ ଉପର ବୁରାତାଲ ଆଶ୍ରୟସ୍ଥଳୀରେ ୭୧ ଜଣ ମହିଳା, ପୁରୁଷ ଓ ପିଲାମାନଙ୍କୁ ରଖାଯାଇଛି   ।

Leave a comment