ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା,୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ୪ଦିନ ଧରି ବ୍ୟାପକ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନ ହୋଇପାରେ । ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ସର୍ବାଧିକ ରହିବ। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ଅତିପ୍ରବଳ ବର୍ଷା ହୋଇପାରେ । ଆଜିଠୁ କାଲି ସକାଳ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ସକାଳରୁ ୨୪ ସକାଳ ମଧ୍ୟରେ କୋରାପୁଟ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ରହିଛି । ସେହିପରି ୨୪ ତାରିଖ ସକାଳରୁ ୨୫ ସକାଳ ମଧ୍ୟରେ ବର୍ଷାର ପ୍ରଭାବ ଆଭ୍ୟନ୍ତରୀଣ ଅଞ୍ଚଳକୁ ବଢ଼ିବ । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ଭୋରରୁ ୨୪ ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ଏବଂ ସମୁଦ୍ରରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୭୫ କିଲୋମିଟର ଛୁଇଁବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅତିପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ସ୍ଥାନୀୟ ବନ୍ୟା, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଗଛ ଉପୁଡ଼ିବା ଏବଂ ବିଦ୍ୟୁତ୍ ଓ ଯୋଗାଯୋଗ ସେବା ବ୍ୟାହତ ହୋଇପାରେ । ସଡ଼କ, ରେଳ ଓ ସମୁଦ୍ର ପରିବହନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରାୟ ୨୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବା ସହ କଳିଙ୍ଗା ଘାଟି ସମେତ ବନ୍ୟା ଓ ଭୂସ୍ଖଳନପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ଏହି ବ୍ୟବସ୍ଥାକୁ ବାତ୍ୟା ଭାବେ ଘୋଷଣା କରିନାହିଁ। ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରଖାଯାଇଛି ।